ଟ୍ରେନ ସମ୍ମୁଖରେ ଯୁବକଙ୍କ ମୃତ୍ୟୁ : ଲାଠୋର ଫାଟକ ଘଟଣାରେ ଚାଞ୍ଚଲ୍ୟ, ଜିଆରପି ନଆସିବାରୁ ପ୍ରଶ୍ନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ ଲାଠୋର ମୁଖ୍ୟ ରାସ୍ତାରେ ଥିବା ରେଲୱେ ଫାଟକ ନିକଟରେ ଜଣେ ଯୁବକ ଟ୍ରେନ ସମ୍ମୁଖରେ ପଡ଼ି ମୃତ୍ୟୁବରଣ କରିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ ବୁଧବାର ରାତି ପ୍ରାୟ ୮.୩୦ଟା ସମୟରେ ଫାଟକ ନିକଟରେ କିଛି ବ୍ୟକ୍ତି ମଦ ଦୋକାନ ପାଖରେ ବସି ମଦପାନ କରୁଥିବା ସହ ପାଟିତୁଣ୍ଡ କରୁଥିଲେ । କିଛି ସମୟ ପରେ ଟଙ୍କପାଣି ଗ୍ରାମର ଶିବ ନାଗ (୪୦)ଙ୍କ ଗୁରୁତର ଭାବେ ଛିଣ୍ଡିଯାଇଥିବା ମୃତଦେହ ଫାଟକଠାରୁ ପ୍ରାୟ ୨୦୦ ମିଟର ଦୂରରେ ରେଲୱେ ଲାଇନ ଉପରେ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ । ଘଟଣାରେ ତାଙ୍କ ବାମ ଗୋଡ଼ ଜଙ୍ଘ ଠାରୁ ଛିଣ୍ଡିଯାଇଥିବା ବେଳେ ଡାହାଣ ଗୋଡ଼ର ପାଦ ମଧ୍ୟ ବିଚ୍ଛିନ୍ନ ହୋଇଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଆମ୍ବୁଲାନ୍ସ ଡାକି ତାଙ୍କୁ ଖପ୍ରାଖୋଲ ଡାକ୍ତରଖାନାକୁ ପଠାଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ବୁଧବାର ରାତି ୯ଟାରୁ ଆଜି ଦ୍ୱିପହର ୧୨ଟା ପର୍ଯ୍ୟନ୍ତ ମୃତଦେହ ଖପ୍ରାଖୋଲ ଡାକ୍ତରଖାନାରେ ପଡ଼ିରହିଥିବା ବେଳେ ହରିଶଙ୍କର ରୋଡ଼ ଜିଆର୍‌ପି ପକ୍ଷରୁ ଏପର୍ଯ୍ୟନ୍ତ କେହି ଆସିନଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରାମବାସୀଙ୍କ କହିବା ଅନୁସାରେ ମୃତକ ଶିବ ନାଗ କିଛି ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା କଥା ଚର୍ଚ୍ଚାରେ ରହିଛି । ଗତରାତି କିଛି ଲୋକ ତାଙ୍କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ସେ ରେଲୱେ ଲାଇନ ଦିଗକୁ ପଳାଇଥିଲେ ଏବଂ ସେହି ସମୟରେ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଥିବା ନେଇ ଲାଠୋର ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ଘଟଣାର ସତ୍ୟାସତ୍ୟ ନେଇ ଜିଆରପି ପକ୍ଷରୁ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସ୍ଥାନୀୟ ମହଲରେ ଆଶା କରାଯାଉଛି ।

Leave A Reply

Your email address will not be published.