ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରୀୟ ଦୋଳ ମେଳଣ ସମିତି ପକ୍ଷରୁ ଚଳିତ ବର୍ଷ ୧୨ତମ ଦୋଳ ମହୋତ୍ସବ ଧୁମଧାମରେ ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମାର୍ଚ୍ଚ ୫ ତାରିଖ ଦୋଳ ଉତ୍ସବ ସେକ୍ଟର ୭ ଦୁର୍ଗାପୂଜା ପଡ଼ିଆରେ ସଂଧ୍ୟା ୫ଟାରୁ ଆରମ୍ଭ ହେବ । ଆଜି ସେକ୍ଟର ୧୫ ସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ଠାରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଏନେଇ କେନ୍ଦ୍ରୀୟ ଦୋଳ ମେଳଣ ସମିତି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଉକ୍ତ ଦିନ ସକାଳ ୬ଟା ୪୫ ମିନିଟରେ ଥାନପତିଙ୍କ ପୀଠରେ ମଙ୍ଗଳ ଆଳତୀ, ସକାଳ ୯ଟା ୩୦ମିନିଟ୍ ସମୟରେ ଥାନପତିଙ୍କ ପୀଠରେ ଆଜ୍ଞାମାଳ, ବିଜୟ ପତାକା ଓ ଶୁଭଖମ୍ବ ସହ ମେଲଣ ସ୍ଥଳ (ସେକ୍ଟର ୭ ଦୁର୍ଗା ପୂଜା ପଡ଼ିଆ)କୁ ଯାତ୍ରା । ସକାଳ ୧୦ଟା ୩୦ମିନିଟ୍ରେ ବିଜୟ ପତକା ଓ ଶୁଭ ଖମ୍ବ ସ୍ଥାପନ ହେବ । ଅପରାହ୍ନ ୪ଟା ୪୫ମିନିଟ୍ରେ ଥାନପତିଙ୍କ ମେଲଣ ସ୍ଥଳକୁ ବିଜେ । ସଂଧ୍ୟା ୫ଟା ୪୫ରେ ସଂଧ୍ୟା ଆଳତୀ ସହ ବିଭିନ୍ନ ପୀଠରୁ ବିମାନ ମେଳନ ସ୍ଥଳକୁ ଆଗମନ । ସଂଧ୍ୟା ୬ଟା ୪୫ ମିନିଟ୍ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଭାବେ ଯୋଗ ଦେବେ ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଦିପ୍ତିମୟୀ ଦାସ । ତାଙ୍କ ସହିତ ଅନ୍ୟାନ୍ୟ ଲୋକପ୍ରିୟ କଣ୍ଠଶିଳ୍ପୀ ମଧ୍ୟ ଭଜନ ପରିବେଷଣ କରିବେ । ନାମୀଦାମୀ ବ୍ୟାଣ୍ଡ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଆକର୍ଷଣୀୟ ହେବ । ଆଜି ମନ୍ଦିର ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରୀୟ ଦୋଳ ମେଳଣ ସମିତିର ସଭାପତି ମୁକ୍ତିକାନ୍ତ ବେହେରା ଚଳିତବର୍ଷ ଦୋଳ ମେଳଣ ନେଇ ସବିଶେଷ ସୂଚନା ପ୍ରଦାନ କରିଥିଲେ । ପ୍ରତିଷ୍ଠାତା ସଦସ୍ୟ ବିଷ୍ଣୁ ଚରଣ ବିଶ୍ୱାଳ, ସୁଶାନ୍ତ କୁମାର ପ୍ରଧାନ, ଈଶ୍ୱର ଭଞ୍ଜ ଓ ପର୍ଶୁରାମ ପୋଥାଳ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଓ ଲୋକସମ୍ପର୍କ ସମ୍ପାଦକ ସଞ୍ଜୀବ କୁମାର ନାୟକ କାର୍ଯ୍ୟକ୍ରମର ପ୍ରାକ୍ ସୂଚନା ପ୍ରଦାନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଭକ୍ତ ଓ ରାଉରକେଲାବାସୀ ଦୋଳ ଉତ୍ସବରେ ଅଧିକ ସଂଖ୍ୟାରେ ସାମିଲ ରହି ବିମାନରେ ରାଧାକୃଷ୍ଣଙ୍କ ସାମୁହିକ ଆଳତୀ ଦର୍ଶନ ସହ ଅପାର କରୁଣା ଲାଭ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ମେଲଣ ସମିତି ପକ୍ଷରୁ ନିବେଦନ କରାଯାଇଛି ।
Prev Post