ଖଣ୍ଡପଡ଼ା, (କେପିଏନ୍ଏସ୍) : ନୟାଗଡ ଜିଲ୍ଲା ଖଣ୍ଡପଡ଼ା ସହରର ମଧୁବନ କ୍ରୀଡାଙ୍ଗନରେ ଚାଲିଥିବା ୭ମ ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ୱାଇଁ ମେମୋରିଆଲ କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶନିବାର ଅନୁଷ୍ଠିତ ପ୍ରଦର୍ଶନୀ ମ୍ୟାଚରେ କେନ୍ଦ୍ରାପଡ଼ା ଓ ଭୁବନେଶ୍ୱର ମହିଳା ଫୁଟବଲ ଟିମ ପରସ୍ପରକୁ ଭେଟିଥିଲେ । ମାତ୍ର ପ୍ରଦର୍ଶନୀ ମ୍ୟାଚଟି ଗୋଲ ଶୂନ୍ୟ ହୋଇଥିଲା । ମୁଖ୍ୟ ରେଫରୀ ଭାବେ କ୍ରୀଡା ଶିକ୍ଷକ ସମୀର ଖୁଣ୍ଟିଆ ମ୍ୟାଚକୁ ପରିଚାଳନା କରିଥିବା ବେଳେ ସୁବାସ ବେହେରା ଓ ବାପି ମହାନ୍ତି ତାଙ୍କୁ ଲାଇନରେ ସହାୟତା କରିଥିଲେ । ମୁଖ୍ୟଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ସମ୍ମାନିତ ଅତିଥି ଭାବେ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ, ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ, ପଠାଣି ସାମନ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷା ଡଃ. ସ୍ୱଚ୍ଛ ସଲୀଳା ମହାପାତ୍ର, ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ସ୍ମିତା ଶେଫାଳି ମହାପାତ୍ର, ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଲିପ୍ସା ନନ୍ଦ, ଏସଡିପିଓ ମଦନ ମୋହନ ପ୍ରଧାନ ନୟାଗଡ଼ ଜିଲ୍ଲା ବିଜେପି ପ୍ରଭାରୀ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ମ୍ୟାଚକୁ ଉପଭୋଗ କରିବା ନିମନ୍ତେ ଆଖପାଖ ଅଞ୍ଚଳରୁ ଶହଶହ ଦର୍ଶକଙ୍କ ସମାଗମ ହୋଇଥିଲା । ରବିବାର ଢେଙ୍କାନାଳର ପପୁଲାର କ୍ଲବ ସହ କଟକ ବିଡାନାଶି କ୍ଲବ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି କ୍ରୀଡ଼ାବିତ ଭିକାରି ଖଣ୍ଡାୟତଙ୍କ ଠାରୁ ଜଣାପଡ଼ିଛି ।
Prev Post