ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ବ୍ଲକ, ଛତ୍ରପୁର ବ୍ଲକ, ଗଞ୍ଜାମ ସହର, ଛତ୍ରପୁର ସହରାଞ୍ଚଳରେ ଦୀର୍ଘ ୨୫ ବର୍ଷ ଧରି ଗଢ଼ି ଉଠିଥିବା ବିଜେଡ଼ିର ଗଡ଼ ଏବେ ଧସି ହୋଇଯାଉଛି । ବିଭିନ୍ନ ସ୍ଥାନରେ ଘନଘନ ବିଜେପିର ମିଶ୍ରଣ ପର୍ବ ହେଉଥିବା ଦେଖାଦେଇଛି । ବିଜୁ ଜନତା ଦଳର ସଭ୍ୟ ସଂଖ୍ୟା ଓ ଟାଣୁଆ ନେତାଙ୍କ ସଦସ୍ୟତା ଶୂନ୍ୟ ହୋଇଯାଉଛି, ବିଜେଡ଼ି ଗଡ଼ ଭାଙ୍ଗି ଭାଙ୍ଗି ଯାଉଥିବା ପରିଲିଖିତ ହେଉଛି । ଭାଜପା ପ୍ରତି ଅଞ୍ଚଳରେ ନିଜ ଦଳକୁ ସୁଦୃଢ କରିବାରେ ଲାଗି ପଡ଼ିଛି । ଶାସକ ବିଜେପି ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ବିଜେପିର କାର୍ଯ୍ୟକାରିଣୀ ବୈଠକ, ସଭା ସମିତି ଆଦି ଆୟୋଜିତ ହେବାରେ ଲାଗିଛି । ଅଦ୍ୟାବଧି ଦୁଇଟି ଜିଲ୍ଲା ପରିଷଦ ସଦସ୍ୟ ବ୍ୟକ୍ତିବିଶେଷ୍ୟଙ୍କ ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହୋଇଥିବା ବେଳେ ରବିବାର ପୁଣି ଏକ ବିଜେପି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବ ଛତ୍ରପୁର ନିକଟସ୍ଥ ହୁମର ଗ୍ରାମରେ ରବିବାର ଦିନ ବେଳା ଆୟୋଜିତ ହୋଇଯାଇଛି । ରାଜ୍ୟ ଛାତ୍ର ବିଜେଡ଼ି ସାଧାରଣ ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁଙ୍କ ନେତ୍ତୃତ୍ଵରେ ପୋଡାପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ଅଞ୍ଚଳରେ ବହୁ ନେତ୍ତୃବର୍ଗ ବିଜେପିରେ ସାମିଲ ହୋଇଛନ୍ତି । ଯାହାକି ପୂର୍ବତନ ସରପଞ୍ଚ, ସମିତିସଭ୍ୟ, ଛତ୍ରପୁର ଏନ୍.ଏ.ସି. ୧୩ ନମ୍ବର ୱାର୍ଡ଼ର କାଉନସିଲର ସୁମନ୍ତ କୁମାର ନାହାକଙ୍କ ସମେତ ତିନୋଟି ଗ୍ରାମ୍ୟ କମିଟିର ସଦସ୍ୟମାନେ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଡାପଦର ପଞ୍ଚାୟତର ହୁମ୍ବର ଗାଁରେ ଆୟୋଜିତ ରବିବାର ଦିନ ବିଜେପିର ମିଶ୍ରଣ ପର୍ବ ସମାବେଶ ଆୟୋଜିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ମୁଖ୍ୟଅତିଥି ଭାବେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସରୋଜ ସାବତ ଯୋଗ ଦେଇଥିଲେ । ହାଇକୋର୍ଟ ଓକିଲ ତଥା ଯୁବନେତା ବିଭୂତି ଭୂଷଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ଏଥିରେ ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ପୂର୍ବତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ । ବିଜେଡ଼ିର ରାଜ୍ୟ ଛାତ୍ର ବିଜେଡ଼ି ସାଧାରଣ ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ରବିବାର ବିଜେଡି ଛାଡ଼ି ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି । ବିଭୂତି ସ୍ୱାଇଁଙ୍କ ସହ ପୋଡାପଦର, ହୁମ୍ବର ଓ କୁମାରବେଗପଲ୍ଲୀର ଗ୍ରାମ୍ୟ କମିଟି ପକ୍ଷରୁ ପୋଡାପଦର ପଞ୍ଚାୟତର ପୂର୍ବତନ ସରପଞ୍ଚ ପୀତାମ୍ବର ପଣ୍ଡା, ପୂର୍ବତନ ସରପଞ୍ଚ ଅଭିରାମ ପଣ୍ଡା, ପୂର୍ବତନ ସମିତି ସଭ୍ୟ ସୂର୍ଯ୍ୟନାରାୟଣ ସେଠୀ (ସାନୁ), ପୂର୍ବତନ ସମିତିସଭ୍ୟା ରଞ୍ଜିତା ପଲେଇ, ପ୍ରତିନିଧି ବାବୁ ସେଠୀ, ହୁମ୍ବର ଗାଁର ୫ଟି ୱାର୍ଡ଼ ମେମ୍ବର ସହ ୬ ଜଣ ପୂର୍ବତନ ୱାର୍ଡ଼ ମେମ୍ବର, ପୋଡାପଦର ପଞ୍ଚାୟତର ଶତାଧିକ ମହିଳା ପୁରୁଷମାନେ ବିଜେପିରେ ସାମିଲ ହୋଇଥିଲେ । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ପୂର୍ବତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା ଓ ବିଜେପି ଜିଲ୍ଲା ସଭାପତି ସରୋଜ ସାବତ ନୂତନ ଭାବେ ଦଳରେ ସାମିଲ ହୋଇଥିବା ବିଜେଡ଼ି ନେତା ଓ କର୍ମୀଙ୍କୁ ଦଳୀୟ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନେକ ପ୍ରାର୍ଥୀ ବିଜେଡି ଛାଡ଼ି ନୂତନ ଭାବେ ବିଜେପି ଦଳରେ ଯୋଗ ଦେଇଛନ୍ତି । ଲୋକଙ୍କୁ ନେଇ ଆଗାମୀ ଦିନରେ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ । ସେପଟେ ଛତ୍ରପୁରରୁ ହୁମ୍ବର ଗାଁ ଦୁଇ କିଲୋମିଟର ଦୂରରେ ଥିଲେ ସୁଦ୍ଧା କିଛି ବିକାଶ ହୋଇପାରିନଥିଲା । ଛତ୍ରପୁରର ଯୁବ ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ବର୍ତ୍ତମାନର ବିଜେପି ଶାସିତ ସରକାରଙ୍କ ଦ୍ୱବାରା ଛତ୍ରପୁର ମ୍ୟୁନିସିପାଲିଟି ହେବା ସମ୍ଭବପର ହୋଇପାରିଛି । ଯାହାଫଳରେ ଛତ୍ରପୁରର ବିକାଶ ହୋଇପାରିବ ବୋଲି ମତପ୍ରକାଶ ପାଇଛି । ଆଗାମୀ ଦିନରେ କୃଷ୍ଣ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଦଳ ସଂଗଠନକୁ ସୁଦୃଢ଼ କରିବା ସହ ଗାଁ ଲୋକଙ୍କ ପାଇଁ କାମ କରିବି ବୋଲି ଯୁବନେତା ବିଭୂତି ଭୂଷଣ ସ୍ୱାଇଁ କହିଛନ୍ତି ।