ତେଲେଙ୍ଗାନାରୁ ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାର ୧୫ ଜଣ ଶ୍ରମିକ ଉଦ୍ଧାର

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ତେଲେଙ୍ଗାନାରୁ ୧୫ ଜଣ ଶ୍ରମିକଙ୍କୁ ସୁବର୍ଣ୍ଣପୁର ପୁଲିସ ଉଦ୍ଧାର କରିଥିବା ନେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ସଭାଗୃହ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ୨୦୨୫ ମସିହା ନଭେମ୍ବର ମାସରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ନାଗପାଲି ଗ୍ରାମର ଦେବାର୍ଚନ ମେଘାନି ଓ ୬ ଜଣ ବ୍ୟକ୍ତି ଏବଂ ବଲାଙ୍ଗିର ଜିଲ୍ଲାର ଲୋଇସିଂହା ଥାନାର ଫାସଡ ଗ୍ରାମର ସୁଦାମ ଦାସ ଓ ଅନ୍ୟ ୭ ଜଣ ବ୍ୟକ୍ତି ତେଲେଙ୍ଗାନା ରାଜ୍ୟର ମଞ୍ଚେରିଆଲ ଅଞ୍ଚଳକୁ ଇଟା କାରଖାନାରେ କାମ କରିବା ପାଇଁ ଯାଇଥିଲେ । ସେଠାରେ ଇଟାଭାଟିରେ କାମ କରିବା ସମୟରେ ତାଙ୍କୁ ଉପଯୁକ୍ତ ପାରିଶ୍ରମିକ ନ ମିଳିବା ଓ ବିଭିନ୍ନ ଅତ୍ୟାଚାର ଦିଆ ଯାଉଥିବା ଦର୍ଶାଇ ଉକ୍ତ ବ୍ୟକ୍ତିମାନେ କୁଞ୍ଜ ଭାରତୀଙ୍କ ତରଫରୁ ମାନ୍ୟବର ହାଇକୋର୍ଟ ଓଡିଶାଙ୍କ ଦ୍ଵାରସ୍ଥ ହୋଇଥିଲେ । ମାନ୍ୟବର କୋର୍ଟ ଡବ୍ଲ୍ୟୁପି(ସି) ନଂ ୩୫୩୮, ୨୦୨୬ ଅନୁସାରେ ସେମାନଙ୍କୁ ଉଦ୍ଧାର ଓ ଉପଯୁକ୍ତ ପଦକ୍ଷେପ ନେବାକୁ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଜିଲ୍ଲା ପୋଲିସର IAHTU Cell ତୁରନ୍ତ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହ ମିଶି ସେଠାରେ ଫଶୀ ରହିଥିବା ଲୋକ ମାନଙ୍କ ସହ ଯୋଗାଯୋଗ କରିଥିଲେ । ତେଲେଙ୍ଗାନା ରାଜ୍ୟରେ ଅବସ୍ଥିତ ଓଡିଶା ସରକାରଙ୍କ ଯୋଗାଯୋଗ ଅଫିସରଙ୍କ ସହାୟତାରେ ଫସିରହିଥିବା ଲୋକମାନେ କାମ କରୁଥିବା ସ୍ଥାନକୁ ଠାବ କରି ତାଙ୍କୁ ସେହି ଇଟା କାରଖାନାରୁ ଉଦ୍ଧାର କରଯାଇଥିଲା । ଗତକାଲି ୨୭/୦୨/୨୦୨୬ରେ ସମସ୍ତ ୧୫ ଜଣଙ୍କୁ ଉଦ୍ଧାର କରାଯାଇ ଟ୍ରେନ୍ ଯୋଗେ ସୁବର୍ଣ୍ଣପୁରକୁ ଆଜି ଅଣାଯାଇଛି । ସମସ୍ତ ଲୋକମାନଙ୍କୁ ଜିଲ୍ଲା ଶ୍ରମ ଅଧିକାରୀ ସୁବର୍ଣ୍ଣପୁର, ଜିଲ୍ଲା ଶ୍ରମ ଅଧିକାରୀ ବଲାଙ୍ଗିର ଏବଂ ଉଭୟ ଜିଲ୍ଲାର ପୋଲିସ ବିଭାଗର ଅଫିସରଙ୍କ ସମ୍ମୁଖରେ ସେମାନଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ସେମାନଙ୍କ ଅଭିଯୋଗ ଆଧାରରେ ଏହାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଏସ୍‌ପି ନାରାୟଣ ନାଏକ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.