- ଲାଠିକଟା ତହସିଲଦାରଙ୍କ ଭୂମିକା ସନ୍ଦେହ ଘେରରେ – ସରପଞ୍ଚ
ରାଉରକେଲା, (ସସ୍ମିତା ପ୍ରଧାନ) : ବିଗତ କିଛିଦିନ ହେବ ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଲାଠିକଟା ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଜମି ମାଫିଆ/ଦଲାଲ ମାନଙ୍କ ଦ୍ୱାରା ନକଲି କାଗଜ ପ୍ରସ୍ତୁତ କରି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ହାତବାରିଷ କରି ଅନେକ ଗରିବ ଗ୍ରାମବାସୀଙ୍କ ବିନା ଅନୁମତିରେ ସେମାଙ୍କର ମୂଲ୍ୟବାନ ପଟ୍ଟା ଜମିର ମାଲିକାନା ବଦଳାଇ ନକଲି ମାଲିକ ପ୍ରସ୍ତୁତ କରି ଜିଲ୍ଲା ବାହାରର ବ୍ୟବସାୟୀମାନଙ୍କୁ ବିକ୍ରି କରୁଥିବା ଅଭିଯୋଗ ମାନ ହୋଇଆସୁଛି । ନିଜଟରେ ଗ୍ରାମବାସୀଙ୍କ ପ୍ରତି ତହସିଲଦାରଙ୍କ ବ୍ୟବହାର ଏବଂ ତହସିଲ ଅଫିସରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଦୁର୍ବ୍ୟବହାର ଏବଂ କର୍ତ୍ତବ୍ୟ ସମ୍ପାଦନା କରିବାରେ ଅବହେଳାକୁ ନେଇ ଅନେକ ପଞ୍ଚାୟତର ଶତାଧିକ ଗ୍ରାମବାସୀମାନେ ତହସିଲ କାର୍ଯ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରିଥିଲେ । ତେବେ ଏତେ ସବୁ ଘଟଣା ଘଟିଯିବା ପରେ ତହସିଲ କର୍ତ୍ତୃପକ୍ଷ ନିଜ ବ୍ୟବହାର ଓ କାର୍ଯ୍ୟଶୈଳୀକୁ ବଦଳାଇବା ପରିବର୍ତ୍ତେ ପୂର୍ବପରି ଜମି ଦଲାଲଙ୍କ ହାତରେ ନାଚି ସେମାନଙ୍କର ସ୍ୱାର୍ଥ ସାଧନ କରିବାରେ ଲାଗିପଡିଥିବା ଅଭିଯୋଗ ଆଣିଛନ୍ତି ଟାଇଁସର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ କର୍ମା ଏକ୍କା । ମିଳିଥିବା ସୂଚନା ଅନୁଯାୟୀ ଲାଠିକଟା ବ୍ଲକ ଅଧୀନରେ ଥିବା ଲାଠିକଟା ତହସିଲ ଅଞ୍ଚଳରେ ଥିବା ଟାଇଁସର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟାଇଁସର ଗ୍ରାମରେ ଥିବା ଖାତା ନମ୍ବର: ୨୨୫/୫୨ ଏବଂ ପ୍ଲଟ ନମ୍ବର : ୨୦୩୨/୨୭୮୪ରେ ଥିବା ପ୍ରାୟ ୨ ଏକର ଜମିର ମାଲିକ ଟାଇଁସର ଗ୍ରାମର ଚରଣ କୁମ୍ଭୀର ପିତା : ଚାମା କୁମ୍ଭର ଅଟନ୍ତି । ତେବେ ଚରଣ କୁମ୍ଭାର ବିଗତ ବହୁବର୍ଷ ହେବ ନିଜ ଗ୍ରାମ ଟାଇଁସର ଛାଡ଼ିଦେଇ ପଡୋଶୀ ଝାଡ଼ଖଣ୍ଡ ରାଜ୍ୟରେ ରହୁଛନ୍ତି । ଚରଣ କୁମ୍ଭାରଙ୍କ ଅନୁପସ୍ଥିତର ସୁଯୋଗ ନେଇ ଅଞ୍ଚକରେ କାର୍ଯ୍ୟରତ କିଛି ଜମି ମାଫିଆମାନେ ଉକ୍ତ ଜମିକୁ ହଡପ କରିବାର ଷଡଯନ୍ତ୍ର କରିଥିଲେ । ଏହି କ୍ରମରେ ମାଫିଆମାନେ ସେଇ ଲାଠିକଟା ବ୍ଲକ ଅଧୀନରେ ଥିବା ଅନ୍ୟ ଏକ ପଂଚାୟତ ବିରଡା ଗ୍ରାମ ପଂଚାୟତରେ ରହୁଥିବା ଚରଣ କୁମ୍ଭାର ଯାହାର ପିତାଙ୍କ ନାମ ସାଇବାଲି କୁମ୍ଭାରକୁ ଖୋଜି ବାହାର କରି ତାଙ୍କୁ ଜେଣତେଣ ପ୍ରକାରରେ ବୁଝାସୁଝା କରି ପ୍ରଥମେ ତାଙ୍କ ବାପାଙ୍କ ନାମକୁ ବଦଳାଇ ଅର୍ଥାତ ସାଇବାଲି କୁମ୍ଭାର ବଦଳରେ ଚାମା କୁମ୍ଭାର ଭାବେ ଏକ ନକଲି ଆଧାରକାର୍ଡ ପ୍ରସ୍ତୁତ କରି ପ୍ରଥମ ଉକ୍ତ ନକଲି ମାଲିକଙ୍କୁ ନେଇ ପାନପୋଷ ସବ ରେଜେଷ୍ଟ୍ରି ଅଫିସରେ ଠିଆ କରାଇ ଉକ୍ତ ୨ ଏକର ଜମିକୁ ବିକ୍ରି କରିବାର ଏକ ଡିଡ଼ ବନାଇଥିଲେ । ପରେ ଉକ୍ତ ଡିଡ଼କୁ ନେଇ ଲାଠିକଟା ତହସିଲଦାରଙ୍କ ପାଖରେ ପଟ୍ଟା ପାଇଁ ଆବେଦନ କରିଥିଲେ । ଜମି ଦଲାଲ ମାନଙ୍କ ଆବେଦନର ବୈଧତାର ସରଜମିନ ତଦନ୍ତ ନିମନ୍ତେ ତହସିଲଦାର ମହୋଦୟ ସମ୍ପୃକ୍ତ ଅଞ୍ଚଳ ଦାୟିତ୍ୱରେ ଥିବା ଆର୍ଆଇଙ୍କ ରିପୋର୍ଟ ମାଗିବା ପାଇଁ ଉଚିତ ମନେ ନକରି ଆବେଦନକାରୀଙ୍କ ଆବେଦନକୁ ନିଜେ ସ୍ୱୀକୃତି ଦେଇ ପଟ୍ଟା କରିବା ପାଇଁ ସିଧା ସଳଖ ରେକର୍ଡ ରୁମକୁ ଆଦେଶ ଦେଇଛନ୍ତି । ଏ ସମ୍ବନ୍ଧରେ ଜାଣିବା ପରେ ପଂଚାୟତବାସୀମାନେ ସରପଞ୍ଚ ଶ୍ରୀ ଜର୍ମା ଏକ୍କାଙ୍କ ନେତୃତ୍ୱରେ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଆଜି ଏ ସମ୍ବନ୍ଧରେ ବିରକେରା ଆର୍ଆଇଙ୍କ କାର୍ଯ୍ୟାଳୟରେ ଶୁଣାଣି ହୋଇଥିଲା । ଯେଉଁଠି ସ୍ୱୟଂ ସରପଞ୍ଚ କର୍ମା ଏକ୍କା ଏବଂ ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ଓରାମ, ବିରେନ୍ଦ୍ର ଓରାମ, ରମେଶ ବାର୍ଳା, ରାଜୁ କେର୍କେଟା, ରମେଶ କୁମ୍ଭାର, ପ୍ରଦୀପ ଟିଗା ପ୍ରମୁଖ ଉପସ୍ଥିତ ରହି ନିଜ ଅଭିଯୋଗ ସମ୍ବନ୍ଧରେ ସମସ୍ତ ପ୍ରମାଣ ଉପସ୍ଥାପନ କରିଥିଲେ । ଯେଉଁଥିରେ ଗୋଟିଏ ଲୋଜର ଦୁଇଟି ବାପା ନାମରେ ଦୁଇଟି ପୃଥକ ପୃଥକ ଆଧାର କାର୍ଡର ନକଲ ମଧ୍ୟ ପ୍ରଦାନ କରିଛନ୍ତି । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର ବିଷୟ କି ଯେ, ଦୁଇଟି ଯାକ ଆଧାର କାର୍ଡର ନମ୍ବର ଗୋଟିଏ ଅଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି କି ଯେ, ଏତେ ବଡ଼ ଜାଲିଆତିକୁ ନା ସବ୍ରେଜେଷ୍ଟ୍ରି ଅଫିସର ଅଧିକାରୀ ନା ତହସିଲ ଅଫିସର କର୍ମଚାରୀ/ଅଧିକାରୀ କିପରି କେହି ମଧ୍ୟ ଦେଖି ପାରିଲେ ନାହିଁ । ନା ସବୁ ଦେଖି ଜାଣିଶୁଣି ନିଜର ନିହିତ ସ୍ୱାର୍ଥ ସାଧନ ନିମିତ୍ତ ନିଜ ଆଖି ବନ୍ଦ କରିଦେଇ ଜାଲିଆତିକୁ ପ୍ରଶ୍ରୟ ଦେଇ ନିଜକୁ ଦୁର୍ନୀତିରେ ସାମିଲ କରାଇଥିଲେ । ତାହା ଆଜି ପ୍ରଶ୍ନବାଚୀ । ଏହି ଦୁର୍ନୀତିରେ ତହସିଲଦାରଙ୍କ ଭୂମିକା ଉପରେ ସନ୍ଦେହ କରି ସରପଞ୍ଚ ଶ୍ରୀ କର୍ମା ଏକ୍ଜାଙ୍କ ନେତୃତ୍ୱରେ ଲୋକେ ପାନପୋଷ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇବା ସହିତ ବ୍ରାହ୍ମଣୀତରଙ୍ଗ ଥାନାରେ ମଧ୍ୟ ଏହି ଜାଲିଆତି ସମ୍ବନ୍ଧରେ ଲିଖିତ ଅଭିଯୋଗ କରି ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି ।