ଅଧ୍ୟାପକ ନବକୃଷ୍ଣ ମିଶ୍ରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ବାଣିଜ୍ୟ ବିଭାଗ ମୁଖ୍ୟ ଅଧ୍ୟାପକ ନବକୃଷ୍ଣ ମିଶ୍ରଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସଭାର ପ୍ରାରମ୍ଭରେ ଅଧ୍ୟାପକ ଡ. ସରୋଜ କୁମାର ନାଏକ ଅତିଥି ମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ମହା ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶ ସଭାରେ ପୌରୋହିତ୍ୟ କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ବିଶେଷ ଅବସରରେ ଅଧ୍ୟାପକ ମିଶ୍ରଙ୍କ ସହଧର୍ମିଣୀ ଶ୍ରୀମତୀ ଭାରତୀ ମିଶ୍ର ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ହୋଇଥିଲେ । ଶିକ୍ଷକ କର୍ମଚାରୀ ସଂଘର ସମ୍ପାଦକ ପ୍ରମୋଦ କୁମାର ତ୍ରିପାଠୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ୧୯୯୩ ମସିହାରୁ ସୁଦୀର୍ଘ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରିଆସିଥିବା ଅଧ୍ୟାପକ ମିଶ୍ରଙ୍କ ଅନନ୍ୟ କାର୍ଯ୍ୟଦକ୍ଷତା, କର୍ତ୍ତବ୍ୟନିଷ୍ଠା ଓ ଶୃଙ୍ଖଳିତ ସମୟାନୁବର୍ତ୍ତିତା ସମ୍ପର୍କରେ ଉପସ୍ଥିତ ସହକର୍ମୀ ଓ ଶିକ୍ଷକବୃନ୍ଦ ନିଜ ନିଜର ସ୍ମୃତି ଚାରଣ କରିଥିଲେ । ମହାବିଦ୍ୟାଳୟ ପକ୍ଷରୁ ଶ୍ରୀ ମିଶ୍ରଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଦାୟୀ ଅଧ୍ୟାପକ ନିଜର ପ୍ରତିଭାଷଣରେ ସହକର୍ମୀଙ୍କ ସହ ବିତାଇଥିବା ମୁହୂର୍ତ୍ତକୁ ମନେ ପକାଇବା ସହ ସାନ ଭାଇ ଓ ଭଉଣୀ ସଦୃଶ ଅଧ୍ୟାପକ-ଅଧ୍ୟାପିକାମାନଙ୍କୁ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ଉପଦେଶ ଦେଇଥିଲେ । ପରିଶେଷରେ ସହ ସମ୍ପାଦକ ଅଧ୍ୟାପକ ପ୍ରଶାନ୍ତ ସିଦାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା ଏବଂ ଅଣଶିକ୍ଷକ କର୍ମଚାରୀବୃନ୍ଦ ଉପସ୍ଥିତ ରହି ଶ୍ରୀ ମିଶ୍ରଙ୍କ ଅବସର ଜୀବନର ସୁଖ ଓ ଶାନ୍ତି କାମନା କରିଥିଲେ ।

Leave A Reply

Your email address will not be published.