mahavir

ଐତିହାସିକ ପରମ୍ପରା ସହିତ ଗୋପାଳପୁର ବେଳାଭୂମି ବର୍ତ୍ତମାନ ଯୁଗରେ ପ୍ରଗତି ସହିତ ହାତ ମିଳାଇଛି : ରାଜ୍ୟପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର କେବଳ ଏକ ଆକର୍ଷଣୀୟ ବେଳାଭୂମି ଗନ୍ତବ୍ୟସ୍ଥଳ ନୁହେଁ, ଏହା ଏପରି ଏକ ସ୍ଥାନ ଯେଉଁଠାରେ ଏହା ଐତିହାସିକ ପରମ୍ପରା ସହିତ ଗୋପାଳପୁର ବେଳାଭୂମି ବର୍ତ୍ତମାନ ଯୁଗରେ ପ୍ରଗତି ସହିତ ହାତ ମିଳାଇଛି ବୋଲି ମହାମହିମ ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ତାଙ୍କ ଓଜସ୍ଵିନୀ ଅଭିଭାଷଣରେ ମତବ୍ୟକ୍ତ କରିଛନ୍ତି । ଆମର ଉପକୂଳ କେବଳ ଏକ ଭୌତିକ ସୀମା ନୁହେଁ, ବରଂ ଜୀବିକା ଏବଂ ଆକାଂକ୍ଷାର ପ୍ରତୀକ । ପ୍ରାଚୀନ କଳିଙ୍ଗର ବୀର ସାଧବମାନେ ବିଶାଳ ସମୁଦ୍ର ପାର ହୋଇ ବାଣିଜ୍ୟ ସହ ଆମ ସଂସ୍କୃତି ଏବଂ ମୂଲ୍ୟବୋଧର ପ୍ରଚାରପ୍ରସାରରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଓଡ଼ିଶା ସର୍ବଦା ବିଶ୍ୱଦୃଷ୍ଟି, ଆତ୍ମବିଶ୍ୱାସ ଏବଂ ଉନ୍ନତ ଚିନ୍ତାଧାରା ସହିତ ଗଭୀର ଭାବରେ ଜଡିତ ବୋଲି ରାଜ୍ୟପାଳ ଡ. କମ୍ଭମପାଟି କହିଛନ୍ତି । ଭାରତ ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଆଡକୁ ଅଗ୍ରସର ହେଉଥିବାବେଳେ ଗୋପାଳପୁର ଭଳି ଉପକୂଳବର୍ତ୍ତୀ ଅଞ୍ଚଳ ଏକ ସ୍ଥିର ଏବଂ ସମୃଦ୍ଧ ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଉତ୍ସବ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରି ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ଗୋପାଳପୁର ବେଳାଭୂମିର ସାନ୍ଧ୍ୟ ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଆନୁଷ୍ଠାନିକ ଉଦଘାଟନୀ ଉତ୍ସବରେ ମହାମହିମ ରାଜ୍ୟପାଳ ଏହା ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଥିଲେ ଯେ’ ବେଳାଭୂମି ମହୋତ୍ସବ ଓଡ଼ିଶାର ଶ୍ରେଷ୍ଠ ମହୋତ୍ସବ ମଧ୍ୟରୁ ଅନ୍ୟତମ । କଳା, ସାହିତ୍ୟ, ସଂସ୍କୃତି, ସଂଗୀତ ସମସ୍ତ କ୍ଷତ୍ରରେ ଗଞ୍ଜାମର ସ୍ଥାନ ଓଡ଼ିଶାର ସର୍ବାଗ୍ରେ ବୋଲି କହିଥିଲେ । ବେଳାଭୂମି ମହୋତ୍ସବର ମାର୍ଗଦର୍ଶକ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଲେ ଯେ ବହୁ ପ୍ରତିକ୍ଷୀତ ଗୋପାଳପୁର ବେଳାଭୂମି ମହୋତ୍ସବକୁ କେବଳ ଓଡିଶା ନୁହଁ ଦେଶ ତଥା ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏ ବର୍ଷ ଭାରତବର୍ଷର ସର୍ବୋତ୍ତମ କଳା, ସଂସ୍କୃତି, ଅନନ୍ୟ ସମୁଦ୍ର ଆଳତି, ବେଳାଭୂମି କ୍ରୀଡା, ପଲ୍ଲିଶ୍ରୀ ମେଳା, ଖାଦ୍ୟ ମେଳାର ଆୟୋଜନ କରାଯାଇଛି । ଏହା ଗୋପାଳପୁରକୁ ବିଶ୍ଵସ୍ତରରେ ଏକ ଆକର୍ଷଣୀୟ ସମୁଦ୍ରତଟୀୟ ପର୍ଯ୍ୟଟନ ଗନ୍ତବ୍ୟ ଭାବେ ପରିଚିତ କରିବ । ସେ ମଧ୍ୟ ଗୋପାଳପୁର ବେଳାଭୂମି ଆଜି ସୌନ୍ଦର୍ଯ୍ୟର ସୁନାମିରେ ପରିଣତ ହୋଇଛି ବୋଲି କହିଥିଲେ । ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗଞ୍ଜାମ ଓ ଗୋପାଳପୁରର ସାମାଜିକ ଓ ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ ଆଲୋକପାତ କରିଥିଲେ । ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଗୋପାଳପୁର ଏନ ଏ ସି ଅଧ୍ୟକ୍ଷ ଏ ଜାନକୀ ରାଓ, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଆଇ ଜି ନିତିନ କେଶର, ଜିଲ୍ଲାପାଳ ଭି. କୀର୍ତ୍ତି ୱାସନ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜସିର୍କେ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉଦଘାଟନୀ ଉତ୍ସବ ସାନ୍ଧ୍ୟ ସାଂସ୍କୃତିକ ମଞ୍ଚରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ନାମରେ ସମର୍ପିତ ହେଇଥିଲା । ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି, ଦେବଦତ୍ତ ପଣ୍ଡା, ସୁନୀଲ କେର୍କେଟା, ଉପ ଜିଲ୍ଲାପାଳ ବ୍ରହ୍ମପୁର ଅବିନାଶ କୁମାର, ଛତ୍ରପୁର ଉପଜିଲ୍ଲାପାଳ ଶୁଭାଶିଷ ବରାଳ, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ପ୍ରାରମ୍ଭରେ ମଙ୍ଗଳବାର ସକାଳେ ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ମନ୍ଦିରରୁ ଏବଂ ମା’ ବାଳକୁମାରୀ ମନ୍ଦିର (ଚିକିଟି) ଏବଂ ଭଞ୍ଜନଗର ନିକଟସ୍ଥ ମା’ କୁଲାଡ ଦେବୀ ମନ୍ଦିରରୁ ଏକା ସଙ୍ଗେ ତିନୋଟି ଦିବ୍ୟଜ୍ୟୋତି ସ୍ୱରୂପ ମଶାଲ ଶୋଭାଯାତ୍ରା ନଗର ପରିଭ୍ରମଣ କରିଥିଲା । ଏହା ଗୋପାଳପୁରସ୍ଥ ନାରାୟଣପୁର ଗ୍ରାମ ନିକଟରେ ପହଞ୍ଚିଥିଲା । ସେଠାରୁ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ନାମ ସଂକୀର୍ତ୍ତନ ସହିତ ଏକ ବିଶାଳ ଶୋଭାଯାତ୍ରାରେ ଗୋପାଳପୁର ବେଳାଭୂମିରେ ଏକତ୍ରିତ ହୋଇଥିଲେ । ସେଇଠି ବନାରସରୁ ଆସିଥିବା ସାଧୁସନ୍ଥଙ୍କ ଦ୍ୱାରା ଓଡ଼ିଶାରେ ବସ୍ତୁତଃ ପ୍ରଥମ ଥର ପାଇଁ ଅନନ୍ୟ ସମୁଦ୍ର ଆଳତୀ କରାଯାଇ ମହୋତ୍ସବର ଶୁଭ ଉଦ୍ଘାଟନ ହୋଇଥିଲା । ଉଦଘାଟନୀ ସନ୍ଧ୍ୟା ଷ୍ଟାର ନାଇଟ୍‌ସ କାର୍ଯ୍ୟକ୍ରମରେ ବିପ୍ରାକ, କୁଲଦୀପ ପଟ୍ଟନାୟକ, ଆନ୍ତଃ-ଜାତୀୟ ସ୍ତରୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ, ଅନନ୍ୟା ଦାସଙ୍କ ସମେତ ସ୍ଥାନୀୟ କଳାକାରମାନେ ଆକର୍ଷଣୀୟ ପ୍ରତିଭା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଅଗଣିତ ଦର୍ଶକଙ୍କୁ ମନମୋହିଥିଲେ । ବଡକୁଶସ୍ଥଳୀ ସ୍ଥିତ ନରେନ୍ଦ୍ରପୁର କଳାବିକାଶ କେନ୍ଦ୍ରରେ କଳାକାରଙ୍କ ଦ୍ଵାରା ରଣାପା ନୃତ୍ୟ ପରିବେଷଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ ଛତ୍ରପୁର କଳାବିକାଶ କେନ୍ଦ୍ର ପକ୍ଷରୁ ଓଡ଼ିଶୀ ନୃତ୍ୟ, ବ୍ରହ୍ମପୁର ସ୍ଥିତ ସଙ୍ଗୀତ ଆରାଧନ ନୃତ୍ୟ ଓ ସଙ୍ଗୀତ ଏକାଡେମୀ ପକ୍ଷରୁ ସମ୍ବଲପୁରୀ ନୃତ୍ୟ, ଏମ ଜେ ଭାଇରସ ଡ୍ୟାନସ ଗୃପ ପକ୍ଷରୁ ଆଧୁନିକ ନୃତ୍ୟ, ଲକ୍ଷ୍ୟମଞ୍ଜରୀ କଳା କ୍ଷେତ୍ର ପକ୍ଷରୁ କୁଚୁପୁଡି ନୃତ୍ୟ, କରାପଲ୍ଲୀ ସ୍ଥିତ ବିଟ୍ ଦ ଷ୍ଟାଇଲ ଏକାଡେମୀ ପକ୍ଷରୁ ଶାସ୍ତ୍ରୀୟ ନୃତ୍ୟ, ବ୍ରହ୍ମପୁର ଓଡ଼ିଶୀ ନୃତ୍ୟାୟନ ପକ୍ଷରୁ ବିହୁ ନୃତ୍ୟ, ପୁରୀ ଜିଲ୍ଲା ସାଂସ୍କୃତିକ ପରିଷଦ ପକ୍ଷରୁ ନାଗା ନୃତ୍ୟ, କଳାହାଣ୍ଡି ସ୍ଥିତ ଜିତେନ୍ଦ୍ର ଭୋଇ ଏବଂ ଟ୍ରୃପ ପକ୍ଷରୁ ଘୁମୁରା ନୃତ୍ୟ, ରାଜସ୍ଥାନର ମମତା ବାଇ ଅନ୍ତର୍ଜାତୀୟ କଳାକାରଙ୍କ ପକ୍ଷରୁ ଘୁମୁରା ନୃତ୍ୟ ପ୍ରମୁଖ ପରିବେଷଣ ହୋଇଥିଲା । ପାଖାପାଖି ୨୫୦ଟି ଷ୍ଟଲ ସହିତ ଏକ ବୃହତ୍ ପଲ୍ଲୀଶ୍ରୀ ମେଳା ଆୟୋଜିତ ହୋଇଛି । ସମଗ୍ର ଦେଶର ସ୍ୱୟଂ ସହାୟକ ଗୋଷ୍ଠୀ, ବିଭିନ୍ନ ଉଦ୍ୟୋଗ, ହସ୍ତଶିଳ୍ପ ଓ ହସ୍ତତନ୍ତ ୟୁନିଟ ଏବଂ ସ୍ଥାନୀୟ ବ୍ୟବସାୟୀମାନଙ୍କ ଉତ୍ପାଦ ଏହି ମେଳାରେ ପ୍ରଦର୍ଶିତ ହେଉଛି । ଦର୍ଶନାର୍ଥୀମାନଙ୍କ ପାଇଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୦ଟି ଖାଦ୍ୟ ଷ୍ଟଲରେ ବିବିଧ ସ୍ୱାଦିଷ୍ଟ ବ୍ୟଞ୍ଜନର ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗଞ୍ଜାମ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.