mahavir

ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନର ଆହ୍ୱାନ : ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ ଦୁର୍ବାର ଆନ୍ଦୋଳନ ଆହ୍ୱାନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ନବୀନ ଭବନ ପରିସରରେ ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନର ବୈଠକ ଆବାହକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମର ବିଭିନ୍ନ ଚାଷୀ ସଂଗଠନର ସଦସ୍ୟମାନେ ସରକାରଙ୍କ ଚାଷୀ ମାରଣ ନିତି ବିରୋଧରେ ଦୁର୍ବାର ଆନ୍ଦୋଳନ ହେବ ବୋଲି ଆହ୍ୱାନ ଦେଇଥିଲେ । ଗଂଜାମ ଜିଲ୍ଲାର ଧାନ ଫସଲ ହେଉଛି ମୁଖ୍ୟ ଫସଲ । ଧାନ ବିକିଲେ ଚାଷୀମାନେ ତାଙ୍କର ପିଲାଙ୍କ ବାହାଘର, ପାଠ ପଢା ଆଦି ଭଲମନ୍ଦ କାମ କରିଥାନ୍ତି । ଜିଲ୍ଲାରେ ୫ ଲକ୍ଷ ୨୦ ହଜାର ଚାଷୀ ଧାନ ଚାଷ କରୁଥିବା ବେଳେ ପ୍ରାୟ ୨.୫ ଲକ୍ଷ ଭାଗ ଚାଷୀ ଧାନ ଚାଷ କରିଥାନ୍ତି । ପ୍ରତିବର୍ଷ ମାତ୍ର ୪୦ ଭାଗ ଚାଷୀଙ୍କ ଧାନ କିଣାଯାଇଥାଏ । ଭାଗ ଚାଷୀ, ଛୋଟ ଚାଷୀ ଓ ନାମ ମାତ୍ର ଚାଷୀମାନେ ପଞ୍ଜିକରଣର ସମସ୍ୟା ଥିବାରୁ ମଧ୍ୟସ୍ଥି ବେପାରୀମାନଙ୍କୁ କମ ଦରରେ ବିକି ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହୁଛନ୍ତି । କୃଷି ବିଭାଗ ତଥ୍ୟ ଅନୁଯାୟୀ ଏକର ପିଛା ୨୫ ରୁ ୩୦ କୁଇଣ୍ଟାଲ ପର୍ଯ୍ୟନ୍ତ ଧାନ ଅମଳ ହେଉଥିବା ବେଳେ ସରକାର ଅଣ ଜଳସେଚିତ ଜମି ପାଇଁ ୧୩ କୁଇଣ୍ଟାଲ ଏବଂ ଜଳସେଚିତ ଜମି ପାଇଁ ୧୯ କୁଇଣ୍ଟାଲ ଧାନ ବିକିବା ପାଇଁ ଧାର୍ଯ୍ୟ କରିଛନ୍ତି, ଯାହା ଫଳରେ ଚାଷୀଙ୍କ ଆଦାୟ ଧାନ ମଧ୍ୟ ବଳକା ରହୁଛି ଯେହେତୁ ଅଧିକାଂଶ ଚାଷୀ ରେସନ୍‌ କାର୍ଡରେ ଚାଉଳ ପାଇଥାନ୍ତି । ଫଳରେ ଏହି ବଳକା ଧାନ ମଧ୍ୟ ଚାଷୀମାନେ ମଧ୍ୟସ୍ଥି ବେପାରୀମାନଙ୍କୁ ବିକି କ୍ଷତି ସହୁଛନ୍ତି । କେନ୍ଦ୍ର ସରକାର ଚଳିତ ବର୍ଷ ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୩୬୯/- ଟଙ୍କା କରିଥିବା ବେଳେ ରାଜ୍ୟ ସରକାରଙ୍କ ବୋନସ ମିଶାଇ କୁଇଣ୍ଟାଲ ପିଛା ୩୧୦୦/- ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ସରକାରଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ କମ୍‌ ଦରରେ ଧାନ କିଣିବା ଦଣ୍ଡନୀୟ ଅପରାଧ । ଆମ ପଡେ଼ାଶି ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରେ ଏମ୍‌.ଏସ୍‌.ପି ଦର ଠାରୁ କମ୍‌ ଦରରେ କୌଣସି ଚାଷୀ ଧାନ ବିକନ୍ତି ନାହିଁ । ସେହି ସରକାର ଚାଷୀଙ୍କ ଧାନ ଏମଏସପି ଦରରେ ବିକିବା ପାଇଁ ଚାହିଦା ସୃଷ୍ଟି କରିଛନ୍ତି । ଆନ୍ଧ୍ରପ୍ରଦେଶର ମଣ୍ଡିରେ ଅକସନ୍‌ ଜରିଆରେ ଧାନ କିଣାଯାଉଥିବାରୁ ଚାଷୀ ଭଲ ଧାନ ଏମ୍‌.ଏସ.ପି. ଠାରୁ ଅଧିକ ଦରରେ ବିକୁଛନ୍ତି । ଆନ୍ଧ୍ରପ୍ରଦେଶ ଓ ଛତିଶିଗଡ଼ରେ ଚାଷୀମାନେ ସରକାରୀ ଦରରେ ଧାନ ବିକୁଛନ୍ତି । ଏଣୁ ଆମ ସରକାର ତାଙ୍କ ସରକାରଙ୍କ ଠାରୁ ଧାନ କିଣିବା ପଦ୍ଧତିରେ ଜାଣିବା ଦରକାର । ଗୋଟିଏ କୁଇଣ୍ଟାଲ ଧାନରେ ଅତି କମ୍‌ରେ ୧୦ କେ.ଜି. ପର୍ଯ୍ୟନ୍ତ ଅଗାଡ଼ି, ଗୁଡ଼ି ଏବଂ ଖରାପ ଧାନ ଥିଲେ ସୁଦ୍ଧା ତାହା ଏଫ୍‌.ଏ. କ୍ୟୁ ମାନର ଅଟେ । ମାତ୍ର ଏଫ୍‌.ଏ.କ୍ୟୁ ମାନ ନାମରେ ଚାଷୀଙ୍କୁ ଡରେଇ କୁଇଣ୍ଟାଲ ପିଛା ୫ରୁ ୬ କେ.ଜି. ପର୍ଯ୍ୟନ୍ତ ଧାନ ମଣ୍ଡିରେ ଅଧିକା ନେଇ ଚାଷୀଙ୍କୁ ଠକୁଛନ୍ତି । ଅଧିକାଂଶ ଜାଗାରେ ନାମକୁ ମାତ୍ର ଛାମୁଣ୍ଡିଆ କରି ମଣ୍ଡି ଖୋଲିଛନ୍ତି ଯାହାକି ଧାନ ରଖିବା ପାଇଁ ସୁରକ୍ଷିତ ନୁହଁ ଏହି ମହାଦୁର୍ନୀତିରେ ଅସାଧୁ ମିଲ ମାଲିକ ଓ ଦୁର୍ନୀତିଗ୍ରସ୍ତ ଯୋଗାଣ, ସମବାୟ ମିଶନ୍‌ ଶକ୍ତି ଅଧିକାରୀମାନେ ମିଶି ମଧୁଚନ୍ଦ୍ରିକା କରୁଥିବାରୁ ପ୍ରତିବର୍ଷ କୋଟି କୋଟି ଟଙ୍କା କ୍ଷତି ସହୁଛନ୍ତି । ମାର୍କେଟିଙ୍ଗ ଇନସ୍ପପେକ୍ଟର ଓ ଯୋଗାଣ ବିଭାଗମାନେ ଗୋଟିଏ ଲଟ ଚାଉଳ ଇସି ଦେବାପାଇଁ ୮୦୦୦ ଙ୍କା କମିଶନ ନେଇଥାନ୍ତି । ବ୍ଳକ୍‌ରେ ବିପିସି ମାନେ ମହିଳା ଗ୍ରୁପ୍‌ ଠାରୁ ଲକ୍ଷ ଲକ୍ଷ ଟଙ୍କା କମିଶନ ନିଅନ୍ତି । ମିଲରମାନେ ଅଧିକାରୀମାନଙ୍କୁ କମିଶନ ଦେଉଥିବାରୁ ଚାଷୀଙ୍କୁ ଅଧିକା ଧାନ ଠକି ନେଉଛନ୍ତି । ସରକାର ଝିଟିକା ମାରି ବଣି ପୋଷୁଛନ୍ତି । ଚାଷୀଙ୍କ ଅଖା ଟଙ୍କା ଓ ଗାଡ଼ି ଭଡ଼ା ଟଙ୍କା ନ ଦେଇ ଠକୁଛନ୍ତି । ଚଳିତବର୍ଷ ୪୦,୦୦୦ (ଚାଳିଶି ହଜାର) ଚାଷୀଙ୍କ ଟୋକନ୍‌ ଏବେ ସୁଦ୍ଧା ଆସିନାହିଁ । ଅଧିକା ଜମି ଥିବା ଚାଷୀଙ୍କର କମ୍‌ ପରିମାଣ ଧାନ ବିକିବା ପାଇଁ ଆସିଥିବାରୁ ଚାଷୀମାନେ ତାଙ୍କ ବଳକା ଧାନ କେମିତି ବିକିବେ ସେଥିପାଇଁ ଚିନ୍ତାରେ ଅଛନ୍ତି । ଏବେ ସୁଦ୍ଧା ପ୍ରାୟ ୯୦ ଭାଗ ଚାଷୀଙ୍କ ଧାନ ଅମଳ ହୋଇଥିଲେ ସୁଦ୍ଧା ମିଲରମାନେ ଠିକ୍‌ ସମୟରେ ଧାନ ଉଠାଉନଥିବାରୁ ମଣ୍ଡିରେ ଧାନ ପଡ଼ି ରହିଛି । ଚାଷୀମାନେ ହଇରାଣ ହେଉଛନ୍ତି । ଜିଲ୍ଲା ପ୍ରଶାସନ ସବୁ ଜାଣି ନୀରବ ରହୁଛନ୍ତି । ଏଣୁ ଧାନ କିଣାରେ ହେଉଥିବା ଦୁର୍ନୀତିର ତଦନ୍ତ କରିବା ପାଇଁ ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନର ଆବାହକ ରବି ରଥ ମା’ ରତନେଇ କୃଷକ ସଂଘର ନାରାୟଣ ପ୍ରଧାନ, ବଳଦେବ କୃଷକ ସଂଘର ବାଉରିବନ୍ଧୁ ସାଇଁ, ବାହୁଦା କୃଷକ ସଂଘର ହୃଷିକେଶ ନାୟକ, ସର୍ବେଶ୍ୱର କୃଷକ ସଂଘର ରମେଶ ଗୌଡ଼ ଏବଂ ଋଷିକୂଲ୍ୟା ରୟତ ମହାସଭାର ସୀମାଞ୍ଚଳ ନାହାକ ଏକ ମହାଦୁର୍ନୀତିର ତଦନ୍ତ କରି ଚାଷୀଙ୍କୁ ନ୍ୟାୟ ଦେବେ ବୋଲି ସରକାରଙ୍କ ଠାରେ ଚାଷୀ ସଂଗଠନ ମାନେ ଦାବୀ କରିଛନ୍ତି । କଟଣି ଛଟଣି ବନ୍ଦ କରି ସରକାରୀ ଦରରେ ଧାନ ନ କିଣିଲେ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚାଷୀ ସଂଗଠନ ମାନେ ଚେତାବନି ଦେଇଛନ୍ତି ।

Leave A Reply

Your email address will not be published.