ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ସଦର ମହକୁମାରେ ଥିବା ମା’ ବସ୍ତ୍ରେନ ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । କ୍ଷେତ୍ର ପରିଦର୍ଶକ ଯୁଗଳ କିଶୋର ନାଏକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥି ରୂପେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ, ସମ୍ମାନିତ ଅତିଥି ଭାବେ ଗୁଡିଘାଟ ସରପଞ୍ଚ ରଶ୍ମିତା ବାଗ ଓ ସମିତିର ସଭାପତି ଘନଶ୍ୟାମ ପ୍ରଧାନ ଯୋଗଦେଇଥିଲେ । ଗୁଡିଘାଟ ଦୁଗ୍ଧ ଉତ୍ପାଦକ ସମବାୟ ସମିତି ରେଜିଷ୍ଟ୍ରସନ ହୋଇଥିବାରୁ ସମସ୍ତ ଦୁଗ୍ଧ ଚାଷୀଙ୍କୁ ଏହା ଜଣାଇ ଦିଆଯାଇଥିଲା । ଏହାପରେ ବ୍ୟାପକ ଆଲୋଚନା ପରେ ସମିତିର ନୂତନ ପରିଚାଳନା ପରିଷଦ ଗଠନ କରାଯାଇଥିଲା । ସମିତିର ନୂତନ ପରିଚାଳନା ପରିଷଦ ସଭ୍ୟ/ସଭ୍ୟା ରୂପେ ସୁବ୍ରତ ମନହୀରା, ଘନଶ୍ୟାମ ପଧାନ, ବିଦ୍ୟାଧର ଖମାରି, ମହେନ୍ଦ୍ର ପଧାନ, ମଦନ ବଗର୍ତି, ମମତା କମ୍ପ, ଟିକନୁ ପଧାନ, ଜଗଦା ମହାନ୍ତି, ଭଗବାନ ଘିବେଲା, ରାମ ଖମାରୀ, ତ୍ରିଲୋଚନ ମହାକୁର, ଦୂତିଆ ପଧାନ, ରୁଦ୍ର ମନହୀରା, ଗଜପତି ମହାକୁର ଓ ଯୁଧିଷ୍ଠିର ସାହୁଙ୍କୁ ମନୋନୀତ କରାଯାଇଥିଲା । ଏହି ପରିଚାଳନା ପରିଷଦ ସଭ୍ୟମାନଙ୍କ ସର୍ବସମ୍ମତି କ୍ରମେ ସମିତିର ନୂତନ ସଭାପତି ରୂପେ ସୁବ୍ରତ ମନହିରା ଓ ଉପସଭାପତି ରୂପେ ମମତା କମ୍ପଙ୍କୁ ମନୋନୀତ କରାଯାଇଥିଲା । ସଂଘ ପରିଦର୍ଶକ ସଭାରେ ଗାଈଗୋରୁମାନଙ୍କୁ ଟୀକା ଦେବା ଓ ରାଜ୍ୟ ସରକାରଙ୍କ କାମଧେନୁ ଯୋଜନା ବିଷୟରେ ବୁଝାଇଥିଲେ । ଶେଷରେ ସମିତିର ସମ୍ପାଦକ ନିରାକାର ପଧାନ ଧନ୍ୟବାଦ ଦେଇଥିଲେ ।