ସୁଲେଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ବଣଭୋଜି କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ସୁଲେଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ବଣଭୋଜି କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ନିକଟବର୍ତ୍ତୀ ପୂଜା ଡୁଙ୍ଗୁରି ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ରଣା ଓ ପ୍ରଧାନ ଶିକ୍ଷୟିତ୍ରୀ ମାନିନୀ ବାଗଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ନିତାଇ ମଟାରୀ ନେତୃତ୍ୱ ନେଇଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର କୁମାର ପୁରୋହିତ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ବଣଭୋଜି କାର୍ଯ୍ୟକ୍ରମର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ବଣଭୋଜିର ମଜା ନେବା ସହ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ବଣଭୋଜି କରିଥିଲେ । ପତ୍ର ତିଆରି ଖଲି ପାତ୍ର ବ୍ୟବହାର ହେବା ସହ ବିଶୁଦ୍ଧ ପିଇବା ପାଣି ଟାଙ୍କି ବ୍ୟବହାର ହୋଇଥିଲା । ଛାତ୍ରଛାତ୍ରୀମାନେ ବିଭିନ୍ନ ଗଛପତ୍ରକୁ ଚିହ୍ନିବା ସହିତ ପରିବେଶ ସୁରକ୍ଷା ପାଇଁ ଶପଥ ପାଠ କରିଥିଲେ । ଜୀବଜନ୍ତୁ, ଗଛ ଲତା, ଆର୍ଦ୍ରଭୂମି ସୁରକ୍ଷା କରିବାର ଉପାୟ ବିଷୟରେ ଧାରଣା ପାଇଥିଲେ । ଶିକ୍ଷୟିତ୍ରୀ ଅଲ୍ଲୀକା ନାଗଙ୍କ ମାର୍ଗ ଦର୍ଶନରେ ପୂଜା ଡୁଙ୍ଗୁରିର ଐତିହାସିକ ପୀଠ ପରିଦର୍ଶନ ସହ କିମ୍ବଦନ୍ତୀ ବିଷୟରେ ଶିକ୍ଷାଲାଭ କରିଥିଲେ । ପର୍ଶୁରାମ ଭୋଇ, ୱାର୍ଡ ସଭ୍ୟ ଦୂତିଆ ଦାସ, ଗଣନାଥ ଗହୀର, ବିଷ୍ଣୁ ପଧାନ, କଳ୍ପନାଭୋଇ, ପୁଷ୍ପାଞ୍ଜଳି ମଟାରୀ, ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷ ପୁରୋତ୍ତମ ପଧାନ ଓ ସମସ୍ତ ସଭ୍ୟସଭ୍ୟା ସହଯୋଗ କରିଥିଲେ । ଶେଷରେ ପୁରାତନ ଛାତ୍ର ଆକାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.