କୁଶଙ୍ଗ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ଛାୟା ବିଧାନସଭା ପ୍ରଦର୍ଶନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ କୁଶଙ୍ଗ ସ୍ଥିତ ପିଏମଶ୍ରୀ ପଞ୍ଚାୟତ ନୋଡାଲ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଛାୟା ବିଧାନସଭା ପ୍ରଦର୍ଶନ ହୋଇଯାଇଛି । ଏହି ଅବସରରେ ସ୍କୁଲ କୋଠରୀରେ ଏକ ଛାୟା ବିଧାନସଭା ଆୟୋଜିତ ହୋଇଥିଲା । ବାଚସ୍ପତିଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ବିଭାଗର ମନ୍ତ୍ରୀ ଓ ବିରୋଧୀଦଳ ନେତା, ବିଧାୟକ ତଥା ସଚିବବୃନ୍ଦ ଉପସ୍ଥିତ ଥିଲେ । ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହେବା ସହିତ ପରିବେଶ ସ୍ୱଚ୍ଛତା ଉପରେ ପ୍ଲାଷ୍ଟିକ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ବାରଣ କରିବା ପାଇଁ ପ୍ରସ୍ତାବ ଆଗତ ହୋଇ ଗୃହୀତ ହୋଇଥିଲା । ଛାତ୍ରଛାତ୍ରୀ ଅତି ଉତ୍ତମ ତଥା ତ୍ରୁଟି ଶୂନ୍ୟ ଭାବରେ ବିଧାନସଭା ଗୃହର କାର୍ଯ୍ୟକ୍ରମକୁ ତୁଲାଇଥିଲେ । ଏହି କାର୍ଯ୍ୟକ୍ରମରେ ପଞ୍ଚସଖା ଶିକ୍ଷାସେତୁ ସଭାପତି ବଂଶୀଧର ସା ଉପସ୍ଥିତ ଥିବା ବେଳେ ସହକାରୀ ଶିକ୍ଷକ ଲକ୍ଷ୍ମୀକାନ୍ତ ପଟେଲ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷକ ସର୍ଜନ ନେଗୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.