ଫେବୃୟାରୀ ୩ ତାରିଖରୁ ଘୁ.ଉଦୟଗିରିରେ ଶୀତ ମହୋତ୍ସବ ତୁଷାର -୨୦୨୬

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ଅଞ୍ଚଳର ଲୁପ୍ତପ୍ରାୟ କଳା, ସଂସ୍କୃତି, ପରମ୍ପରାକୁ ବଜାୟ ରଖିବା ସହ ଏହାକୁ ଲୋକ ଲୋଚନକୁ ଆଣିବା ପାଇଁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଆସନ୍ତା ଫେବୃୟାରୀ ୩ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ଦିନ ବ୍ୟାପୀ ଘୁ. ଉଦୟଗିରିର କଳିଙ୍ଗ ମିନି ଷ୍ଟାଡିଅମ ପରିସରରେ ଅନୁଷ୍ଠିତ ହେବ ଶୀତ ମହୋତ୍ସବ ତୁଷାର -୨୦୨୬ । ବ୍ଲକ୍ ପ୍ରଶାସନ ଓ ସହରର ବୁଦ୍ଧିଜୀବୀ, ବ୍ୟବସାୟୀ, ସମାଜସେବୀଙ୍କ ମିଳିତ ଉଦ୍ୟମରେ ଅୟୋଜନ କରାଯାଉଛି । ଏହି ଶୀତ ମହୋତ୍ସବକୁ ସଫଳ କରିବା ପାଇଁ ସମସ୍ତେ ନିଷ୍ଠା ଓ ଆନ୍ତରିକତାର ସହ ଜୋରଦାର ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି । ଏଥିପାଇଁ ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ଆର୍ଥିକ ସହାୟତା ମିଳିନ‌ଥିବା ବେଳେ ସହରବାସୀ ନିଜେ ଅର୍ଥ ସଂଗ୍ରହ କରି ଆୟୋଜନ କରୁଛନ୍ତି । ଶୀତ ଉତ୍ସବକୁ ଆକର୍ଷଣୀୟ ଓ ଯାକ ଜକମରେ ସଫଳତାର ସହ ଅୟୋଜନ କରିବା ପାଇଁ ବିଡ଼ିଓ, ଏନ୍‌ଏସି ନିର୍ବାହୀ ଅଧିକାରୀ, ବିଧାୟକ, ଲୋକ ପ୍ରତିନିଧି, ବୁଦ୍ଧିଜୀବୀ, ସମାଜସେବୀ, ବ୍ୟବସାୟୀ, ଗଣମାଧ୍ୟମ ପ୍ରତିନିଧି ସମସ୍ତେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇ କାର୍ଯ୍ୟ କରୁଛନ୍ତି । ମହୋତ୍ସବରେ ସ୍ଥାନୀୟ କଳାକାରଙ୍କୁ ଅଗ୍ରାଧିକାର ଦିଆଯିବା ସହ ରାଜ୍ୟ ଓ ରାଜ୍ୟ ବାହାର କଳାକାର ଆସିବେ । ଏହାସହ ମିନବଜାର ଓ ବିଭିନ୍ନ ପ୍ରକାର ଘର କରଣା ସାମଗ୍ରୀର ବିଭିନ୍ନ ଷ୍ଟଲ ରହିବ । ଶୀତ ମହୋତ୍ସବକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛି ଆୟୋଜକ କମିଟି ।

Leave A Reply

Your email address will not be published.