ଶନିବାରଠାରୁ କରୋନା ଟୀକା ଦିଆଯିବ ପୋଲିସ କର୍ମଚାରୀଙ୍କୁ : ପ୍ରଥମେ ନେବେ ଡିଜିପି ଅଭୟ

ଭୁବନେଶ୍ୱର : ଶନିବାରଠାରୁ ସମଗ୍ର ରାଜ୍ୟରେ ପୋଲିସ କର୍ମଚାରୀଙ୍କୁ ଦିଆଯିବ କରୋନା ଟିକା । ପ୍ରଥମେ ଡିଜିପି ଅଭୟ ଟିକା ନେବେ । ତା’ପରେ ଅନ୍ୟ ବରିଷ୍ଠ ପୋଲିସ ଓ ହୋମ୍‌ଗାର୍ଡମାନେ କରୋନା ଟିକା ନେବେ । ଏନେଇ ସୂଚନା ଦେଇଛନ୍ତି କଟକ-ଭୁବନେଶ୍ୱର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ଭୁବନେଶ୍ୱରରେ କମିଶନର ଅଫିସ, ଡିସିପି ଭୁବନେଶ୍ୱର, ସପ୍ତମ ବାଟାଲିଅନ୍‌, ଏସ୍‌ଏସ୍‌ ବାଟାଲିଅନ୍‌, ରାଜ୍ୟ ଗୁଇନ୍ଦା ବିଭାଗ, ଏସ୍‌ଓଜି, ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀ ପରି ମୋଟ୍‌ ୧୯ଟି ପ୍ରତିଷ୍ଠାନର ୮୯୩୭ କର୍ମଚାରୀଙ୍କୁ ଟିକା ଦିଆଯିବ । ଭୁବନେଶ୍ୱର ରିଜର୍ଭ ପୋଲିସ ଲାଇନ୍‌ ହସ୍ପିଟାଲ୍‌, ସପ୍ତମ ବାଟାଲିଅନ୍‌ ହସ୍ପିଟାଲ୍‌ ଓ ସିପି ଅଫିସ ସମେତ ୩ଟି ସ୍ଥାନରେ ଟିକା ଦିଆଯିବ । ସେହିପରି କଟକରେ ରାଜ୍ୟ ପୋଲିସ ସଦର ମହକୁମା, ଡିସିପି କଟକ, କ୍ରାଇମବ୍ରାଞ୍ଚ, ଦୁର୍ନୀତି ନିବାରଣ ବିଭାଗ, ହୋମ୍‌ ଗାର୍ଡ଼, ଫାୟାର ସର୍ଭିସେସ୍‌, ଷଷ୍ଠ ବାଟାଲିଅନ୍‌ ପ୍ରମୁଖ ୧୧ଟି ପ୍ରତିଷ୍ଠାନର ୬୮୬୭ ପୋଲିସ କର୍ମଚାରୀ ଓ ହୋମ୍‌ ଗାର୍ଡଙ୍କୁ ଟିକା ଦିଆଯିବ । କଟକ ନେତାଜୀ ଇନ୍‌ଦୋର ଷ୍ଟାଡିୟମକୁ ଟିକା ଗ୍ରହଣ କେନ୍ଦ୍ର କରାଯାଇଛି । ଟିକାକରଣ ପାଇଁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସବୁ ପ୍ରସ୍ତୁତି ସରିଯିବ । ଆସନ୍ତାକାଲି ସକାଳ ୯ଟା କଟକରେ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଉଦ୍‌ଘାଟନ କରାଯିବ ବୋଲି କମିଶନର କହିଛନ୍ତି ।

Leave A Reply

Your email address will not be published.