ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ମହୋତ୍ସବ ନିମନ୍ତେ ବାଲିଗୁଡ଼ା ପ୍ରଶାସନ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ପ୍ରଥମେ ତୁମୁଡିବନ୍ଧ ବ୍ଲକ ବେଲଘର ପଞ୍ଚାୟତ ସାପାଗାଣ୍ଡା ସ୍ଥାନରୁ ଏହି ମଶାଲ ବାହାରି ତୁମୁଡିବନ୍ଧ ବ୍ଲକ ଓ କୋଟଗଡ଼ ବ୍ଲକ ପରିକ୍ରମା କରି ବାଲିଗୁଡ଼ା ବ୍ଲକରେ ପହଞ୍ଚିଥିଲା । ଏହାକୁ ବ୍ଲକ ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇ ସମଗ୍ର ସହର ପରିକ୍ରମା କରାଯାଇଥିଲା । ମୁଖ୍ୟତଃ ଏହି ସାପାଗାଣ୍ଡା ସ୍ଥାନରୁ ଆଦିବାସୀ କୁଟିଆ କନ୍ଧ ଜନଜାତିଙ୍କ ଉତ୍ପତ୍ତିସ୍ଥଳ ବା ଆଦିବାସୀଙ୍କ ପୁରୁଷ ଓ ମହିଳା ଆବିର୍ଭାବ ହୋଇଥିଲେ ତେଣୁ ଆଦିବାସୀ ରୀତିନୀତିରେ ପୂଜାର୍ଚ୍ଚନା କରି ଉକ୍ତ ସ୍ଥାନରୁ ମଶାଲ ବାହାର କରାଯାଇ କନ୍ଧମାଳ ଜିଲ୍ଲାରେ ଥିବା ୧୨ଟି ବ୍ଲକକୁ ଭ୍ରମଣ କରାଇ ୭ ତାରିଖରେ ଫୁଲବାଣୀ ଠାରେ ପହଞ୍ଚି ୧୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ ଦିନ ଧରି କନ୍ଧମାଳ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ମଶାଲ ଶୋଭାଯାତ୍ରାରେ ବାଲିଗୁଡ଼ା ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା, ବିଡ଼ିଓ ଅକ୍ଷୟ ମଲିକ, ତହସିଲଦାର ଦୀପ୍ତି ପ୍ରକାଶ ବେହେରାଙ୍କ ସମେତ ବହୁ ବୁଦ୍ଧିଜୀବୀ, ଯୁବକ ଯୁବତୀ ପ୍ରମୁଖ ସାମିଲ ହୋଇଥିଲେ ।