ନୂଆପଡା, (କେପିଏନ୍ଏସ୍) : ନୂଆପଡା ଜିଲ୍ଲାରେ ଚାଷୀଙ୍କୁ ଘାରିଛି ହାତୀର ଆତଙ୍କ, ଧାନ ଅମଳ ସମୟରେ ଧାନ ଖାଇବା ସହ କରୁଛନ୍ତି ବ୍ୟାପକ କ୍ଷତି । ଏଭଳି ଅଭିଯୋଗ ଆସିଛି । କୋମନା ବନ ଅଞ୍ଚଳରେ ଗତ ଚାରି ଦିନ ହେବ ୩୦ ଟିକିଆ ହାତୀପଲ ବ୍ୟାପକ ଧାନ ଫସଳ ନଷ୍ଟ କରୁଥିବାବେଳେ ବନ ବିଭାଗ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି । ଏବେବି କୁମ୍ଭକର୍ଣ୍ଣ ନିଦ୍ରାରେ ଅଛନ୍ତି ବନ ବିଭାଗର ଅଧିକାରୀ ଗଣ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଧାନ ଅମଳ ସମୟ, ଏହି ଭଳି ସମୟରେ ହାତୀ ଉପଦ୍ରବ ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି । ପାଚିଲା ଧାନ ଅମଳ ବେଳକୁ ହାତୀପଲଙ୍କ ଉପଦ୍ରବ, ରାତିଅଧରେ ଧାନ କ୍ଷେତକୁ ଦଳିଚକଟି ଫସଲ ଖାଇବା ସହ ସବୁ କିଛି ନଷ୍ଟ କରୁଛନ୍ତି । ମାଟିରେ ମିଶୁଛି ସୁନାର ଫସଲ । ଏହି ଦୃଶ୍ୟ ହେଉଛି ନୂଆପଡା ଜିଲ୍ଲା କୋମନା ବନାଞ୍ଚଳ ରଜନା ସେକ୍ସନର । ଉପାନ୍ତ ବୋଡେ଼ନ ବ୍ଲକର ଝରଣାମାଲ ଗାଁରେ ଗତ ଚାରିଦିନ ହେବ ୩୦ ଟିକିଆ ହାତୀପଲ ସ୍ଥାନୀୟ ଚାଷୀଙ୍କ ନିଦ ହଜାଇ ଦେଇଛି । ସନ୍ଧ୍ୟା ହେବା ମାତ୍ରେ ହାତୀ ଗାଁ ମୁହାଁ ହୋଇ ବ୍ୟାପକ ଫସଲ ନଷ୍ଟ କରୁଥିବା ଦେଖିବାକୁ ମିଳୁଛି । ହାତୀ ଉପଦ୍ରବରୁ ଫସଲକୁ ରକ୍ଷା କରିବା ପାଇଁ ରାତିରେ ବାଣ ଫୁଟାଇ, ନିଆଁ ହୁଳା ଦେଖାଇ ଘଉଡାଉଛନ୍ତି । ହେଲେ ହାତୀପଲ ବାରମ୍ବାର ଗାଁ ମୁହାଁ ହୋଇ ବ୍ୟାପକ ଫସଲ ହାନି କରୁଥିବା ଚାଷୀ କହିଛନ୍ତି । ଝରଣାମାଲ ଗାଁର ପାଖପାଖି ୨୫ ଜଣ ଚାଷୀଙ୍କ ଧାନ ଫସଲକୁ ହାତୀ ପଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ହାତୀଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ କାଟ କରାଯାଉଛି । ଏହା ଛଡା ହାତୀପଲଙ୍କୁ ଘଉଡାଇବା ପାଇଁ ସ୍ଥାନୀୟ ଲୋକଙ୍କ ସହାୟତ ମଧ୍ୟ ନିଆଯାଉଛି । କ୍ଷୟକ୍ଷତିର ତଦନ୍ତ କରାଯାଇଛି । ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ଖଡ଼ିଆଳ ସହକାରୀ ବନ ସଂରକ୍ଷକ ଅଧିକାରୀ କହିଛନ୍ତି ।