ନୂଆପଡାରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବିତରଣ ସମାରୋହ

  • ଜିଲ୍ଲାର ୮୪,୧୫୪ ଜଣ ଚାଷୀ ଉପକୃତ ହେବେ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଡିପିଆର୍‌ସି, ସିଲଦା ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ନୂଆପଡା ବିଧାୟକ ଜୟ ରାଜୁ ଭାଇ ଢୋଲକିଆ ଯୋଗଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁଜୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସମ୍ମାନିତ ଅତିଥି ଭାବରେ ସାଂସଦଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ, ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଉପାଧ୍ୟକ୍ଷ ଦିଲ୍ଲୀପ ନିର୍ମଲ କର୍ ପ୍ରମୁଖ ଯୋଗଦାନ କରିଥିଲେ । ପ୍ରଦୀପ ପ୍ରଜ୍ୱଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଆବାହକ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ ଅତିଥି ମାନଙ୍କୁ ସ୍ୱାଗତ କରି ସମାରୋହର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଷାନ ସମ୍ମାନ ନିଧି ଯୋଜନାର ୨୧ ତମ କିସ୍ତି କୋଇମ୍ବାଟୁରରୁ ପ୍ରଦାନ କରିଥିବାର କାର୍ଯ୍ୟକ୍ରମ ଆଭାସି ମାଧ୍ୟମରେ ଏଠାରେ ପ୍ରଦର୍ଶିତ ହୋଇଥିଲା । ଦେଶର ୯ କୋଟି ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ୧୮ ହଜାର କୋଟି ଟଙ୍କା ଦିଆଗଲା । ସେହିପରି ରାଜ୍ୟ କୃଷି ଭବନରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏଥିରେ ଯୋଡ଼ି ହୋଇଥିଲେ । ରାଜ୍ୟର ୩୪ ଲକ୍ଷରୁ ଅଧିକ ଚାଷୀ ୭୦୦ କୋଟି ଟଙ୍କାରୁ ଅଧିକ ସହାୟତା ପାଇବେ । ନୂଆପଡା ଜିଲ୍ଲାର ୮୪,୧୫୪ ଜଣ ଚାଷୀ ମଧ୍ୟ ଏହି ଯୋଜନାରେ ଉପକୃତ ହେବେ । ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ହେଉଛି ଏକ ସମ୍ପୂର୍ଣ୍ଣ କେନ୍ଦ୍ରୀୟ ଯୋଜନା ଯାହା ୨୪.୦୨.୨୦୧୯ରେ ଆରମ୍ଭ ହୋଇଥିଲା । ଏହାର ଉଦ୍ଦେଶ୍ୟ ହେଲା ଚାଷୀ ପରିବାରର ଆୟ ବୃଦ୍ଧି କରିବା । ଚାଷୀମାନଙ୍କୁ ଉପଯୁକ୍ତ ଫସଲ ସ୍ୱାସ୍ଥ୍ୟ ଏବଂ ଉପଯୁକ୍ତ ଅମଳ ସୁନିଶ୍ଚିତ କରିବା ପାଇଁ ସମ୍ବଳ ସଂଗ୍ରହ କରିବାକୁ ସଶକ୍ତ କରିବା । ଖର୍ଚ୍ଚ ପୂରଣ ପାଇଁ ଚାଷୀମାନଙ୍କୁ ସୁଧଖୋର୍ ମହାଜନଙ୍କ ଶିକାର ହେବାରୁ ରକ୍ଷା କରିବା । ଜମିର ପରିମାଣ ନିର୍ବିଶେଷରେ ସମସ୍ତ ଚାଷୀ ପରିବାର ଏହା ପାଇବେ । ଏକକ କିମ୍ବା ମିଳିତ ଭାବରେ ଚାଷୀ ଜମି ମାଲିକ ହେବା ଆବଶ୍ୟକ । ଆବଶ୍ୟକ ଜମି ବିବରଣୀ ସୂଚନା ଦେଇ ଜଣେ ଚାଷୀ ନିଜ ନାମ ପଞ୍ଜୀକରଣ କରି ପାରିବେ । ଏହି ଯୋଜନାରେ ମୁଖ୍ୟମନ୍ତ୍ରୀ କିଷାନ ସହାୟତା ପାଉଥିବା ଚାଷୀ ମାନଙ୍କ ସହିତ ସମସ୍ତ କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ୩ଟି କିସ୍ତିରେ ବାର୍ଷିକ ୬୦୦୦ ଟଙ୍କା ମିଳୁଛି । ଯୋଗ୍ୟ ହିତାଧୀକାରୀ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ସଳଖ ଏହି ଟଙ୍କା ଯାଉଛି । ଏହି ସମାରୋହରେ ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷି ହରେକୃଷ୍ଣ ଚାନ୍ଦ ହାଁସଦା, ଏଡିଓ ଖଡିଆଳ ସୋମନାଥ ମହାପାତ୍ର, ଏସ୍‌ଡିଭିଓ, ଡଃ. କିଶୋର କୁମାର ପରିଡ଼ା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଓ କୃଷି ବିଭାଗର ସମସ୍ତ ଅଧିକାରୀ ଯୋଗଦାନ କରିଥିଲେ । ଜିଲ୍ଲାର ସମସ୍ତ ବ୍ଲକର ଶତାଧିକ ମହିଳା ଓ ପୁରୁଷ ଚାଷୀ ଏହି ସମାରୋହରେ ସାମିଲ୍ ହୋଇଥିଲେ ।

Leave A Reply

Your email address will not be published.