ତାମିଲନାଡୁର କୋଏମ୍ବାଟୁରଠାରେ ଅନୁଷ୍ଠିତ ହେଲା କିଷାନ ସମ୍ମାନନିଧି ସମାରୋହ

  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ହେଲା ଉଦଘାଟିତ
  • ପିଏମକିଷାନ ସମ୍ମାନନିଧିର ୨୧ତମ କିସ୍ତି ବ୍ୟାଙ୍କଖାତା ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହସ୍ତାନ୍ତର
  • ଦେଶର ୯କୋଟିରୁ ଉର୍ଦ୍ଧ ଚାଷୀଙ୍କ ସହିତ ଜିଲ୍ଲାର ୨,୩୭, ୭୧୨ଜଣ ଚାଷୀ ହେଲେ ଉପକୃତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ତାମିଲନାଡୁର କୋଏମ୍ବାଟୁରଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ପିଏମ କିଷାନ ସମ୍ମାନନିଧି ସମାରୋହକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ କିଷାନ ଯୋଜନାର ୨୧ତମ କିସ୍ତିକୁ ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ଆଭାସୀ ମାଧ୍ୟମରେ ପ୍ରଦାନ କରିଛନ୍ତି । ଏହି କୃଷକ କଲ୍ୟାଣ ଯୋଜନା ଯାହାକି କୃଷକମାନଙ୍କ ଅର୍ଥନୈତିକ ଉନ୍ନତି ନିମିତ୍ତ ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା । ଯେଉଁ ଯୋଜନାରେ ଚାଷୀଙ୍କୁ ଗୋଟିଏ ବର୍ଷରେ ୩ଟି କିସ୍ତିରେ ୨୦୦୦ ହଜାର ଟଙ୍କା ଲେଖାଏଁ ମୋଟ ୬୦୦୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ । ଏହି ଅବସରରେ ଆଜି ଭୁବନେଶ୍ୱର କୃଷି ଭବନ ପ୍ରେକ୍ଷାଳୟରେ ରାଜ୍ୟ ସ୍ତରୀୟ ଉତ୍ସବ ଆୟୋଜିତ ହୋଇଥିବାବେଳେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଶ୍ୟାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ର ପରିସରସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ବାରିପଦା ପ୍ରକାଶ ସୋରେନ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବିଧାୟିକା, ବାଙ୍ଗିରିପୋଷି ଶୁଶ୍ରୀ ସଞ୍ଜଳି ମୁର୍ମୁ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଶ୍ରୀମତୀ ଭାରତୀ ହାଁସଦା ଯୋଗ ଦେଇଥିଲେ । ସମସ୍ତ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ପ୍ରଭୁ ଜଗନ୍ନାଥଙ୍କ ଶ୍ରୀଚରଣରେ ପୁଷ୍ପ ଅର୍ଘ୍ୟ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଶ୍ୟାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଶ୍ରୀମତୀ ସଙ୍ଘମିତ୍ରା ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହ ଏହି ଯୋଜନା ସମ୍ଭନ୍ଧରେ ତାଙ୍କର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ସୋରେନ କହିଥିଲେ ଯେ ଆଜି ଦେଶର ପାଖାପାଖି ୯ କୋଟିରୁ ଉର୍ଦ୍ଧ ଲକ୍ଷ ଚାଷୀ ଭାଇ ଭଉଣୀଙ୍କ ବ୍ୟାଙ୍କ ଖାତାକୁ ୨୦୦୦ ଟଙ୍କା ଲେଖାଏଁ କୃଷକ ସହାୟତା ରାଶି ପ୍ରଧାନ ମନ୍ତ୍ରୀଙ୍କ ଦ୍ୱାରା ବ୍ୟାଙ୍କ ଖାତା ଜରିଆରେ ହସ୍ତାନ୍ତର କରାଯାଇଛି । ଏହି କ୍ରମରେ ଆମ ରାଜ୍ୟର ୩୪ ଲକ୍ଷରୁ ଉର୍ଦ୍ଧ ଚାଷୀ ଭାଇଭଉଣୀ ଉପକୃତ ହୋଇଥିବାବେଳେ ମୟୂରଭଞ୍ଜ ଜିଲ୍ଲାର ୨,୩୭, ୭୧୨ ଜଣ ଚାଷୀ ଉପକୃତ ହୋଇଛନ୍ତି । ଏହି ଯୋଜନା ମାଧ୍ୟମରେ ଆମ ଦେଶର ସାଧାରଣ ଚାଷୀମାନେ ଏହି ସହାୟତା ରାଶିକୁ ଉପଯୋଗ କରି ଚାଷକାର୍ଯ୍ୟ ସମୟରେ ସମ୍ମୁଖୀନ ହେଉଥିବା ଆର୍ଥିକ ଅସୁବିଧାକୁ କିଛି ମାତ୍ରାରେ ଦୂର କରିପାରୁଛନ୍ତି । ଏହି ଯୋଜନା ବ୍ୟତୀତ କୃଷକମାନଙ୍କୁ ସଶକ୍ତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆହୁରି ମଧ୍ୟ ଅନେକ ଯୋଜନା ରହିଛି ଯାହା ଦ୍ୱାରା ଚାଷୀମାନେ ଉପକୃତ ହେଉଛନ୍ତି । ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ବୃନ୍ଦ ମଧ୍ୟ ଉକ୍ତ ଯୋଜନାର ବିଭିନ୍ନ ଦିଗ ଉପରେ ନିଜ ନିଜ ସୁଚିନ୍ତିତ ମତାମତ ବ୍ୟକ୍ତ କରିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଲୋକନାଥ ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଟଙ୍କଧର କାଲୋ ଯୋଗ ଦେଇଥିବାବେଳେ ସହକାରୀ କୃଷି ନିର୍ଦ୍ଦେଶିକା ମଧୁସ୍ମିତା ଜେନା, ସହକାରୀ କୃଷି ଅଧିକାରୀ ରମ୍ୟ ରଞ୍ଜନ ମହାନ୍ତ, ଅର୍ଚ୍ଚନା ବଳା ଏବଂ କାର୍ଯ୍ୟାଳୟର ତୁଷାର କାନ୍ତ ମହାନ୍ତି, ମାନସ ରଞ୍ଜନ ମହାନ୍ତି, ସରୋଜ ଦାସ, ରାଜାରାମ ସାହୁ ଓ ଭାଗ୍ୟଶ୍ରୀ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା କୃଷି ବିଭାଗର ବିଭାଗୀୟ ଅଧିକାରୀଙ୍କ ସମେତ ବିଭିନ୍ନ ବ୍ଲକର ଶତାଧିକ ଚାଷୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.