ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବିନିକା ସ୍ଥିତ ସାଇ ସନ୍ତୋଷୀ କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ବିନିକା ବ୍ଲକର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ସୁବ୍ରତ କୁମାର ପୁରୋହିତଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବିନିକା ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ୪୫୦ରୁ ଅଧିକ ମତ୍ସ୍ୟଜୀବୀ ଏବଂ ପ୍ରାଣୀପାଳକ ତଥା ସ୍ଵୟଂ ସହାୟକ ଗୋଷ୍ଠୀ ଦଳର ମା’ମାନେ ଅଂଶ ଗ୍ରହଣ କରିଥିଲେ । ଏତତ୍ ବ୍ୟତୀତ ଉତ୍ସାହୀ ଜନ ସାଧାରଣ, ପଞ୍ଚାୟତ ସମିତିର ସଭ୍ୟ ସଭ୍ୟା, ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ କର୍ମଚାରୀ ତାଙ୍କର ସହାୟକ କର୍ମଚାରୀ ସମସ୍ତେ ଉପସ୍ଥିତ ଥିଲେ । ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ମେଳା ଓ ପ୍ରଦର୍ଶନୀକୁ ଫିତା କାଟି ଉଦ୍‌ଘାଟନ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ମୃତ୍ୟୁଞ୍ଜୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ରୂପେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ଯୋଗ ଦେଇ ଉପସ୍ଥିତ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବରେ ବିଶ୍ୱମ୍ବର ମିଶ୍ର, ପ୍ରତିନିଧି ସାଂସଦ ବଲାଙ୍ଗିର, ସୁବାଷ ଭୁଏ, ଅଧ୍ୟକ୍ଷ ବିନିକା ଏନ୍‌ଏସି, ଅଶୋକ କୁମାର ପୃଷ୍ଟି, ସରପଞ୍ଚ ଶଙ୍କରା, ବିଜୟ କୁମାର ସାହୁ ଜିଲ୍ଲା ମତ୍ସ୍ୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନିକା ମଣ୍ଟୁ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟବକ୍ତା ଭାବରେ ଡା. ରଞ୍ଜନ କୁମାର ଦାସ, ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିନିକା ବ୍ଲକର ୪ ଜଣ ଅଗ୍ରଣୀ ମତ୍ସ୍ୟ ଚାଷୀ ଏବଂ ଚାରି ଜଣ ପ୍ରାଣୀପାଳକ ଓ କୁକୁଡ଼ା ପାଳନ ତଥା ପଞ୍ଚାୟତ ପୋଖରୀରେ ମାଛ ଚାଷ ପାଇଁ ସ୍ଵୟଂ ସହାୟକ ଦଳଙ୍କୁ ପୁରସ୍କୃତ କରାଯାଇଥିଲା । ୨ ଜଣ ପ୍ରାଣୀ ପାଳକ ଓ ଜଣେ ମତ୍ସ୍ୟଚାଷୀଙ୍କୁ ନୂତନ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଚାଷୀ-ବିଶେଷଜ୍ଞ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ମତ୍ସ୍ୟ ବିଶେଷଜ୍ଞ ଭାବରେ ଗୋଲାପି ବାଡା, ସହକାରୀ ମତ୍ସ୍ୟ ଅଧିକାରୀ, ଡୁଙ୍ଗୁରିପାଲି ଓ ଶ୍ରବଣ କୁମାର କହଁର ସହକାରୀ ମତ୍ସ୍ୟ ଅଧିକାରୀ, ଉଲୁଣ୍ଡା ଏବଂ ପ୍ରାଣୀ ସମ୍ପଦ ବିଶେଷଜ୍ଞ ଭାବରେ ଡ଼ା. ଦୁର୍ଗା ପ୍ରସାଦ ତ୍ରିପାଠୀ, ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ, ସୋନପୁର ଓ ଡା. କୃଷ୍ଣଚନ୍ଦ୍ର ମହନ୍ତ, ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ବୀରମହାରାଜପୁର ପ୍ରମୁଖ ଯୋଗଦେଇ ଚାଷୀଙ୍କୁ ମତ୍ସ୍ୟ ଚାଷ ଓ ପ୍ରାଣୀ ପାଳନ ସମ୍ପର୍କିତ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ଦଳଗତ ନୃତ୍ୟ ଓ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ପାଲା ଓ କରମସାନୀ ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ଯୋଜନା ସମୂହର ପ୍ରଚାର ପ୍ରସାର କରାଯାଇଥିଲା । ଏହି କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରାଣୀ ପାଳନ ଓ ମତ୍ସ୍ୟ ଚାଷରେ ଉତ୍ପାଦନ ବୃଦ୍ଧି କରିବା, ତୃଣମୂଳ ସ୍ତରରେ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ପ୍ରାଣୀ ପାଳନ କୁକୁଡ଼ା ପାଳନ ମତ୍ସ୍ୟ ଚାଷ କିପରି ସହାୟକ ହେଇପାରିବ । ମତ୍ସ୍ୟ ଚାଷ ମାଧ୍ୟମରେ ସ୍ୱାବଲମ୍ବୀ ଚାଷୀ ତଥା ଉଦ୍ୟୋଗୀ ସ୍ରୁଷ୍ଟି କରିବା ଏବଂ ପ୍ରାଣୀ ସମ୍ପଦକୁ ନିରୋଗ ଏବଂ ନିରାମୟ ରଖିବା । ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାକୁ ଆୟୋଜନ କରିଥିଲେ ଡ଼ା. ଗିରିଜା ଶଙ୍କର ଦାସ ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ବିନିକା, ଡା. ଏମ୍. ରମ୍ୟା ପ୍ରାଣୀ ଚିକିତ୍ସା ଅଧିକାରୀ ଏମ୍.ଭି.ୟୁ ବିନିକା । ଏଥିରେ ସହ ଆୟୋଜିକା ଥିଲେ ସୁଶ୍ରୀ ସଂଗୀତା କିଶାନ୍, ସହକାରୀ ମତ୍ସ୍ୟ ଅଧିକାରୀ, ବିନିକା । ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଆୟୋଜନ କରିବାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ସମସ୍ତ କର୍ମଚାରୀ ସହାୟତା କରିଥିଲେ ।

Leave A Reply

Your email address will not be published.