ଲୋଇସିଂହା, (ବିମଳେନ୍ନ୍ଦୁ ସାହୁ) : ରାଜ୍ୟସ୍ତରୀୟ ସୁରଭି ପ୍ରତିଯୋଗିତା -୨୦୨୫ରେ ରାଜ୍ୟର ବଛାବଛା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ରେଙ୍ଗାଲି କ୍ଲଷ୍ଟରର ଏକ ଅନୂନ୍ନତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାଗଡୁଙ୍ଗୁରୀର ପଞ୍ଚମ ଶ୍ରେଣୀ ଛାତ୍ର ପାର୍ଥ ସାରଥୀ ଭୋଇ କ୍ୱିଜରେ ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଚଳିତ ନଭେମ୍ୱର ମାସ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର କ୍ୟାପିଟାଲ ହାଇସ୍କୁଲ, ୟୁନିଟ -୩ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସୁରଭି ପ୍ରତିଯୋଗିତାର କ୍ୱିଜରେ ଶ୍ରୀମାନ ପାର୍ଥ ଏହି ସଫଳତା ପାଇବା ସହିତ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ଲୋଇସିଂହା ବ୍ଲକର ଆଭ୍ୟନ୍ତରୀଣ କପିଲବାହାଲ ଗ୍ରାମର ସୀତାରାମ ଭୋଇ ଓ ପ୍ରେମଶିଳା ଭୋଇଙ୍କ ସୁପୁତ୍ର ହେଉଛନ୍ତି ପାର୍ଥ । ଏହି ସଫଳତାର ଶ୍ରେୟ ସେ ତାଙ୍କ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ବିଶେଷ କରି ଶିକ୍ଷୟିତ୍ରୀ ପଙ୍କଜିନି ଧରୁଆଙ୍କୁ ଦେବା ସହିତ ଆଗାମୀ ଦିନରେ ଏହା ତାଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ସେ ପ୍ରକାଶ କରିଛନ୍ତି ।