ନୂଆପଡାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ : ସାମ୍ବାଦିକମାନଙ୍କୁ ଜିଲ୍ଲାର ପ୍ରଗତିରେ ସକ୍ରିୟ ଯୋଗଦାନ ଦେବା ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ସ୍ଥାନୀୟ ସଦ୍ଭାବନା ସଭା ଗୃହରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାରୋହରେ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ସାମ୍ବାଦିକ, ବିଭିନ୍ନ ବ୍ଲକରୁ ସାମ୍ବାଦିକମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ । ଏବର୍ଷ ପାଇଁ ପ୍ରେସ କାଉନସିଲ ଅଫ ଇଣ୍ଡିଆ ତରଫରୁ ଥିମ୍ ଥିଲା । ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣ ମାଧ୍ୟମର ବିଶ୍ୱାସନୀୟତାର ସଂରକ୍ଷଣ । ଜିଲ୍ଲାପାଳ ଶ୍ରୀ ଦାଶ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି କହିଲେ ଯେ ସେମାନେ ମିଥ୍ୟା ସୂଚନାରୁ ଦୂରେଇ ରହି ସବୁବେଳେ ସତ୍ୟ ପ୍ରକାଶ କରିବାର ସାହସ ରଖିବା ଉଚିତ । ସମାଜର ତଳ ପାହାଚରେ ଥିବା ଅବହେଳିତ, ଦୁସ୍ଥ ଜନତାର ସ୍ୱରକୁ ପ୍ରଶାସନ ପାଖରେ ପହଞ୍ଚାଇବା ଗୁରୁ ଦାୟୀତ୍ଵ ସାମ୍ବାଦିକମାନଙ୍କ ଉପରେ ନ୍ୟସ୍ତ ଅଛି । ଏହି ଅବସରରେ ସେ କହିଲେ ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ନୁହେଁ ବରଂ ଏହା ପ୍ରଥମ ସ୍ତମ୍ଭ ତଥା ପ୍ରଥମ ଦମ୍ଭ । ସଭାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପରିଚାଳନା କରିଥିଲେ । ବର୍ତ୍ତମାନର ଡିଜିଟାଲ ଯୁଗରେ ମିଥ୍ୟା ଏବଂ ନକଲି ଖବର ପ୍ରସାରଣରୁ ସମାଜକୁ କିଭଳି ସୁରକ୍ଷା ମିଳିବ ଏହି ବିଷୟରେ ସେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ । ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ସୁରେଶ ଆଚାରୀ, ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସମାଜ ପ୍ରତିନିଧି ସିମାଞ୍ଚଳ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଏବଂ ଜିଲ୍ଲା ପ୍ରତିନିଧି ସୂଚନା, ଦୀପକ ମିଶ୍ର ଜିଲ୍ଲାର ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଉତ୍ଥାପନ କରିବା ସହିତ ଦିବସର ଥିମ୍ ଉପରେ ନିଜର ମତାମତ ରଖିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ବରିଷ୍ଠ ରାଜସ୍ଵ ସହାୟକ ବିଭୁଦତ୍ତ ମିଶ୍ର, ସହାୟକ ରାଜେଶ ରଞ୍ଜନ ବହିଦାର, ଗଦାଧର ମାଝି ପ୍ରମୁଖ ସହାୟତା କରିଥିଲେ । ଜିଲ୍ଲାର ସମସ୍ତ ସାମ୍ବାଦିକ, ସାମ୍ବାଦିକ ସଙ୍ଘମାନଙ୍କର ପ୍ରତିନିଧି ଏକତ୍ର ହୋଇ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଜିଲ୍ଲା ସଦର ମହକୁମାରେ ଏକ ସାମ୍ବାଦିକ ଭବନ ନଥିବାରୁ ଏହା ଉପରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାପାଳ ସହୃଦୟତାର ସହିତ ଏହି ସମସ୍ୟା ହୃଦୟଙ୍ଗମ କରି ବିହୀତ ପଦକ୍ଷେପ ନେବା ପାଇଁ ଆଶ୍ଵାସନା ଦେଇଥିଲେ । ଆଜିର ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ସମସ୍ତ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ସ ତଥା ୱେବ୍ ମିଡିଆ ପ୍ରତିନିଧିମାନଙ୍କ ପାଇଁ ଏକ ସୁଖଦ ଅନୁଭୂତି ଆଣିଥିଲା ।

Leave A Reply

Your email address will not be published.