
ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଜିଲ୍ଲା ପ୍ରଶାସନ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ-୨୦୨୫ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ରାୟଗଡ଼ ବିଧାୟକ ଶ୍ରୀ କାଡ୍ରାକା ଆପ୍ପାଲସ୍ୱାମୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ସାମ୍ବାଦିକ ବନ୍ଧୁମାନଙ୍କୁ ସମ୍ବର୍ଦ୍ଧିତ କରି ନିରପେକ୍ଷ, ନିର୍ଭିକ ଓ ସତ୍ୟନିଷ୍ଠ ଭାବରେ ସମ୍ବାଦ ପରିବେଷଣ ପକ୍ଷଇଁ ନିବେଦନ କରିଥିଲେ । ସାମ୍ବାଦିକ ମାନଙ୍କ ସମସ୍ୟା ଉପରେ ବିଧାନସଭାରେ ବହୁବାର ପ୍ରଶ୍ନ କରିଛି ଓ ଆଗକୁ ମଧ୍ୟ ପ୍ରଶ୍ନ ଉତ୍ଥାପନ କରିବି ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ରାୟଗଡା ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ, ରାୟଗଡା ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ଼ ଚନ୍ଦ୍ରକାନ୍ତ ମାଝୀ, ଉତ୍କଳ ଆଲୁମିନା ଲୋକସମ୍ପର୍କ ଅଧିକାରୀ ଆମଜାଦ ଅଲି ଯୋଗଦାନ କରି ରାୟଗଡା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନେ ନିର୍ଭିକ, ନିରପେକ୍ଷ, ସତ୍ୟ ଓ ଗଠନମୂଳକ, ସମସ୍ୟା ଭିତ୍ତ୍ତିକ ସମ୍ବାଦ ପରିବେଷଣ କରୁଥିବାରୁ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ଠାରେ ଖବରଗୁଡିକ ପହଞ୍ଚି ପାରୁଥିବାରୁ ଅନେକ ସମସ୍ୟାର ସମାଧାନ ହୋଇ ପାରିବା ସହ ଜିଲ୍ଲା ବିକାଶରେ ମଧ୍ୟ ସାମ୍ବାଦିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛନ୍ତି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ନିରପେକ୍ଷତା, ନିର୍ଭୀକତା, ସହୃଦୟତା ସାମ୍ବାଦିକଙ୍କ ପ୍ରାଥମିକତା ହେବା ଆବଶ୍ୟକ ବୋଲି କହିଥିଲେ । ଡ଼ଃ. ଉମେଶ ଚନ୍ଦ୍ର ଶତପଥି, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମା’ ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟର ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ତାଙ୍କର ଓଜସ୍ୱିନୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଅତିଥିମାନେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଚଳିତ ବର୍ଷର ଆଲୋଚ୍ୟ ବିଷୟ : ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ୱାସନୀୟତାର ସଂରକ୍ଷଣ ବିଷୟ ଉପରେ ଆଲୋଚନା କରିଥିଲେ । ବରିଷ୍ଠ ସାମ୍ବାଦିକ ରାଜେଶ ପଟ୍ଟନାୟକ, ଅନୁବ୍ରତ ବାରା, ଗୋପ ରଞ୍ଜନ ବକ୍ସିପାତ୍ର, ବୋମାଳୀ କାନ୍ତା ରାଓ ପ୍ରମୁଖ ନିଜ ନିଜ ବ୍ୟକ୍ତବ ରଖିଥିଲେ । ରାୟଗଡା ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଦିଗରେ ସମାଧାନ ପାଇଁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ସବୁ ସମୟରେ ସହଯୋଗ କରି ଆସୁଥିବା ବେଳେ ଚଳିତ ବର୍ଷ ରାୟଗଡା ଜିଲ୍ଳାରେ ୩୦୦ ଜଣ ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅର୍ନ୍ତଭୁକ୍ତ ହୋଇଥିବା ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରକାଶ କରିଥିଲେ । ଏହି ଦିବସ ପାଳନ ଅବସରରେ ସମସ୍ତ ସାମ୍ବାଦିକମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ସେହିପରି ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ୬ଜଣ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କ ବ୍ୟତୀତ ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜଳନ୍ଧର ପୁଷିକା, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲେନୁର, ଜିଲ୍ଲାସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ, ଧନଞ୍ଜୟ ବେହେରା, ବରିଷ୍ଠ ସହାୟକ, ମାନସ ରଞ୍ଜନ ସାହୁ, ଗ୍ରନ୍ଥାଗାରିକ ଡମ୍ବରୁଧର ପଣ୍ଡା, ସୁଭାଷ କେରକେଟା, ସମ୍ରାଟ ସାହୁ, ରାଜେନ୍ଦ୍ର ଦୋରା ଆୟୋଜନ କରିବାର ସହଯୋଗ କରିଥିବା ବେଳେ ବରିଷ୍ଠ କର୍ମଚାରୀ ଅନନ୍ତ ପାତ୍ର ସଂଯୋଜନା କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।