ମ. ରାମପୁର, (ପିକେସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଦୁର୍ଗା ମାଧବ ଉଚ୍ଚ ବିଦ୍ୟାପୀଠ ଖେଳପଡିଆଠାରେ ପ୍ରଥମଥର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଏକ ପ୍ରଦର୍ଶନୀ ଓ ଜନ ସଚେନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ସାରା ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ପ୍ରତି ବ୍ଲକରେ ଏହିଭଳି କାର୍ଯ୍ୟକ୍ରମ ଚାଲୁଥିବାବେଳେ ମ. ରାମପୁର ବ୍ଲକରେ ଏହା ଅନୁଷ୍ଠିତ ହୋଇଯାଇଛି । ମତ୍ସ୍ୟ ଚାଷ ଓ ପଶୁପାଳନ କରି ଚାଷୀମାନେ କିଭଳି ସ୍ୱାବଲମ୍ବୀ ହୋଇପାରିବେ ଓ ସହଜ ଏବଂ ସୁବିଧାରେ ଋଣ ନେବା ସହିତ ସରକାରୀ ପ୍ରୋତ୍ସାହନ ପାଇପାରିବେ ଏସଂକ୍ରାନ୍ତରେ ଜନସାଧାରଣଙ୍କୁ ସୂଚନା ଦେବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ପୁଷ୍ପେନ୍ଦ୍ର ସିଂହ ଦେଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ କଳାହାଣ୍ଡି, କଳାହାଣ୍ଡି ସାଂସଦ ପ୍ରତିନିଧି ପଦ୍ମଲୋଚନ ମିଶ୍ର, ରାଜ୍ୟସଭା ସାଂସଦ ପ୍ରତିନିଧି ଦିବାକର ବାଗ, ନର୍ଲା ବିଧାୟକଙ୍କ ପ୍ରତିନିଧି ସତ୍ୟ ନାରାୟଣ ସାହୁ, ତହସିଳଦାର ସୁଶ୍ରୀ ମିମାଂସା ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ସେଠି, ବ୍ଲକ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଡାଃ. କେଦାରନାଥ ଖମାରୀ, ଗୋଷ୍ଠୀ ମତ୍ସ ଅଧିକାରୀ ରୁଦ୍ର ପ୍ରତାପ ଶବର, ଉପଖଣ୍ଡ ପ୍ରାଣୀ ଚିକିତ୍ସକ ଅଧିକାରୀ ପ୍ରଭାତ କୁମାର ପରିଡା, ବୀଣାପାଣି ସାହୁ ସରପଞ୍ଚ ମ.ରାମପୁର ଗ୍ରାମ ପଞ୍ଚାୟତ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ମୁଖ୍ୟବକ୍ତା ଭାବେ ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ଏଥିରେ ପ୍ରାଣୀଧନ ନିରକ୍ଷକ ସୁଶାନ୍ତ ମିଶ୍ର ଓ ଡଃ ସୁଦେବୀ ଭଞ୍ଜ ମଞ୍ଚ ପରିଚାଳନା କରିଥିଲେ । ପରେ ପ୍ରାଣୀ ସମ୍ପଦର ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକର ୪ ଜଣ ପଶୁପାଳକ ଓ ୪ ଜଣ ମତ୍ସ୍ୟଚାଷୀଙ୍କୁ ସଫଳ ଚାଷୀ ଭାବରେ ସମୁଦାୟ ୮ଜଣ ଚାଷୀଙ୍କୁ ଉପଢୌକନ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଏହାସହ ବିଭିନ୍ନ ବିଭାଗ ପକ୍ଷରୁ ୧୨ଟି ଷ୍ଟଲ ଖୋଲାଯାଇ ପ୍ରଦର୍ଶନ ବାର୍ତ୍ତା ପ୍ରଦାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବରେ ବଜାଶାଳ ନୃତ୍ୟ ପରିବେଷଣ ହୋଇଥିଲା । ଏଥିରେ ପ୍ରାଣୀ ସମ୍ପଦ ଓ ମତ୍ସ ବିଭାଗ ଅନ୍ୟାନ୍ୟ କର୍ମଚାରୀ, ଗୋମିତ୍ର, ପ୍ରାଣୀମିତ୍ର ପ୍ରମୁଖ ସହଯୋଗ କରିଥିଲେ ।
Next Post