ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଦାଦନ ଚାଲାଣ ଉପରେ ଖପ୍ରାଖୋଲ ପୋଲିସ କଡ଼ା ଅଭିଯାନ ଚାଳାଇ ସଫଳତା ହାସଲ କରିଛି । ରବିବାର ସନ୍ଧ୍ୟା ବେଳେ ପେଟ୍ରୋଲିଙ୍ଗ ସମୟରେ ବେଆଇନ ଭାବେ ଚାଲାଣ ହେଉଥିବା ତିନି ଶିଶୁ ସମେତ ଛଅ ଜଣ ଶ୍ରମିକଙ୍କୁ ହରିଶଙ୍କର ଛକ ନିକଟରୁ ଉଦ୍ଧାର କରିଥିବା ପୋଲିସ୍ ସୂଚନା ଦେଇଛି । ସୂଚନା ଅନୁସାରେ, ହରିଶଙ୍କର ଛକ ନିକଟରେ ଏକ ବୋଲେରୋ ଗାଡ଼ିକୁ ଅଟକାଇ ପଚରାଉଚରା କରିଥିଲା ପୋଲିସ । ତଦନ୍ତ ପରେ ଜଣାପଡିଥିଲା ଶ୍ରମିକ ମାନଙ୍କୁ ଆନ୍ଧ୍ରପ୍ରଦେଶର ଏକ ଇଟାଭାଟିକୁ ବେଲପଡା ଥାନା ପର୍ଲିମାଲ ଗ୍ରାମର ଦାଦନ ସର୍ଦ୍ଦାର ଜଗ ସୁନା ବେଆଇନ ଭାବେ ଗୋଟିଏ ବୋଲେରୋ ଗାଡ଼ିରେ ନେଇକି ଯାଉଥିଲା । ଖପ୍ରାଖୋଲ ପୋଲିସ ତିନି ପୁରୁଷ, ତିନି ମହିଳା ଓ ଦୁଇ ନାବାଳିକା ଏବଂ ଜଣେ ନାବାଳକକୁ ଉଦ୍ଧାର କରି ଖପ୍ରାଖୋଲ ଥାନାକୁ ଆଣିଥିଲେ । ଶ୍ରମିକମାନେ ସମସ୍ତେ ଖପ୍ରାଖୋଲ ଥାନା ଗୁଣ୍ଡୁରୁପାଲି ଗ୍ରାମର ବୋଲି ପ୍ରକାଶ କରିଛନ୍ତି । ଏହି ଚାଲାଣ ଘଟଣା ସହ ଜଡିତ ଦାଦନ ସର୍ଦାର ଜଗ ସୁନା, ଯିଏ ବେଲପଡ଼ା ଥାନା ଅଧୀନ ପର୍ଲିମାଲ ଗାଁର ନିବାସୀ, ତା’କୁ ପୋଲିସ୍ ଅଟକ ରଖିଛି । ବେଆଇନ ଭାବରେ ଶ୍ରମିକ ଚାଲାଣରେ ବ୍ୟବହୃତ ବୋଲେରୋ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି । ଏନେଇ ଖପ୍ରାଖୋଲ ଥାନାରେ କେସ ନମ୍ବର ୨୩୮/୨୦୨୫ ଅଧୀନରେ ମାମଲା ରୁଜୁ ହୋଇଛି । ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ନିଜ ଗାଁକୁ ପଠାଇ ଦିଆଯାଇଛି । ଘଟଣାର ଆହୁରି ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ଲିଙ୍ଗରାଜ କିଷାନ ସୂଚନା ଦେଇଛନ୍ତି । ପୋଲିସ୍ର ସଚେତନତା ଓ ତତ୍ପରତା ଦାଦନ ଚାଲାଣ ଉପରେ ଆଘାତ ହେଲା ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି
Prev Post