ସୁର ତରଙ୍ଗର ମାସିକ ସଙ୍ଗୀତ କାର୍ଯ୍ୟକ୍ରମ

  • ଅକ୍ଷୟ ମହାନ୍ତିଙ୍କୁ ମନେପକାଇଲେ ସଂଗୀତ ପ୍ରେମୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଜଣାଶୁଣା ସାମାଜିକ ସଂସ୍ଥା ସେୟାରର ସୁର ତରଙ୍ଗ ପକ୍ଷରୁ ଓଡ଼ିଆ ସଙ୍ଗୀତ ଜଗତର ଅବିସ୍ମରଣୀୟ ସ୍ୱର ସାଧକ ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନ ଉପଲକ୍ଷେ “ଅକ୍ଷୟ ମହାନ୍ତି ସ୍ପେଶାଲ୍ ସଙ୍ଗୀତ କାର୍ଯ୍ୟକ୍ରମ” ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ଗୀତିକାର, ଅଭିନେତା ତଥା ଆଙ୍କର ଅତୁଲ୍ୟ କୁମାର ମହାକୁଡ ଅତିଥି ଭାବେ ଯୋଗଦେଇଥିଲେ । ସୂଚନାଯୋଗ୍ୟ ଯେ, ଶ୍ରୀ ମହାକୁଡ଼ ଅକ୍ଷୟ ମହାନ୍ତିଙ୍କ ସହ କାମ କରିଥିଲେ । ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଅନେକ ସୁପ୍ରସିଦ୍ଧ ଗୀତ ରଚନା କରିଛନ୍ତି । ସେ ୟେଶୁଦାସ, ଅକ୍ଷୟ ମହାନ୍ତି, ସିକନ୍ଦର ଆଲମ୍, ହେମଲତା ପ୍ରମୁଖ ଗାୟକଙ୍କ ପାଇଁ ଗୀତ ଲେଖିଛନ୍ତି ଓ “ମନ ମନ୍ଦିର”, “ବତାସି ଝଡ଼”, “ପର ଝିଅ ଘର ଭାଙ୍ଗେନା”, “କୁରୁକ୍ଷେତ୍ର” ପରି ଚଳଚ୍ଚିତ୍ର ପାଇଁ ସ୍ମରଣୀୟ ଗୀତ ରଚନା କରିଛନ୍ତି । କାର୍ଯ୍ୟକ୍ରମଟି ମା’ଙ୍କ ବନ୍ଦନା ଓ ଜଗନ୍ନାଥ ଭଜନରୁ ଆରମ୍ଭ ହୋଇଥିଲା । ଏହା ପରେ ସୁର ତରଙ୍ଗର ସ୍ଥାପକ ଦିଲୀପ କୁମାର ପରିଡା ସଂସ୍ଥାର ଆଗାମୀ ସଙ୍ଗୀତ ଅନୁଷ୍ଠାନ ଓ ଆଗାମୀ ପ୍ରସ୍ତାବିତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ସୁରତରଙ୍ଗ ପରିବାରର ଲୀନା ସେନାପତି, ଶୁଭସ୍ମିତା ଦାସ, ବନୋଜ ଦାସ, ଝରଣା ମିଶ୍ର, ନିବେଦିତା ବେହେରା, ବିମଳ ସାହୁ, ବିମଳ ପଟ୍ଟନାୟକ, ମୀନା ପଟ୍ଟନାୟକ, ମନୋଜ ମହାନ୍ତ, ଦିଲୀପ କୁମାର ପରିଡା, ବିଶ୍ୱଜିତ ଲେଙ୍କା, ନିବେଦିତା ସ୍ୱାଇନ, ମନୋଜ ସାହା, ବସନ୍ତ ସ୍ୱାଇଁ, ଜଗନ୍ନାଥ ସାହୁ, ଇତି ପଟ୍ଟନାୟକ ପ୍ରମୁଖ ଅକ୍ଷୟ ମହାନ୍ତିଙ୍କ ସୁପ୍ରସିଦ୍ଧ ଗୀତ ଗାଇ ଉପସ୍ଥିତ ଶ୍ରୋତାଙ୍କ ମନ୍ତ୍ରମୁଗ୍ଧ କରିଥିଲେ । ସହରର ପ୍ରସିଦ୍ଧ ଗାୟିକା ବାସଦତ୍ତା ମହାନ୍ତି, ସେୟାରର ସଂଯୁକ୍ତ ସାଂସ୍କୃତିକ ସଚିବ ଅନୁରୋଧ ସାହୁ, ମିଡିଆ ସଂଯୋଜକ ଶଶାଙ୍କ ପଟ୍ଟନାୟକ, ଉପଦେଷ୍ଟା ସୁରେଶ ରାଉତରାୟ ଓ ଡାକ୍ତର ସତ୍ୟନାରାୟଣ ମିଶ୍ର ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ବିମଳ ସାହୁ ଓ ଡା. ସତ୍ୟନାରାୟଣ ମିଶ୍ରଙ୍କ ନିର୍ଦ୍ଦେଶନାରେ ଏହି କାର୍ଯ୍ୟକ୍ରମଟି ବେଶ୍ ଉପଭୋଗ୍ୟ ହୋଇପାରିଥିଲା । ଶେଷରେ ବସନ୍ତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.