ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ସଦର ମହକୁମା ମୁରିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଳଷ୍ଟରସ୍ତରୀୟ ସୁରଭି- ୨୫ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରି ଏବଂ ସମ୍ମାନିତ ଅତିଥି ଭାବରେ ପ୍ରଧାନଶିକ୍ଷକ ଥୟରାଜ ପ୍ରଧାନୀ, ସ୍ରୋତସ୍ୱିନୀ ମାଝୀ ଓ ଅଧ୍ୟାପିକା ଭବାନୀ ପୋଢ଼ ଯୋଗ ଦେଇଥିଲେ । ମୁରିବାହାଲ କ୍ଳଷ୍ଟର ସିଆରସିସି ହୃଷୀକେଶ ଶିକାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏହା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ମା’ ବାଗଦେବୀ ସରସ୍ଵତୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ତା’ପରେ ଶ୍ରୀ ଶିକା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ଅତିଥିଗଣ ନିଜ ନିଜର ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ । ମୁରିବାହାଲ କ୍ଳଷ୍ଟରର ୧୪ଟି ସ୍କୁଲରୁ ପ୍ରାୟ ୩୦୦ ଜଣ ପ୍ରତିଯୋଗୀ ଏବଂ ୩୦ ଜଣ ସହଶିକ୍ଷକ / ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଶିକ୍ଷକ ଶ୍ରୀମୁଖ ବିହାରୀ ଷାଣ୍ଢ ଏବଂ ମଦନ ବାଗ ମଞ୍ଚ ପରିଚାଳନା କରିଥିଲେ । ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ, ବକ୍ତୃତା, ସଂଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶ୍ର୍ରୁତଲିଖନ, ପି.ଏମ୍ ପୋଷଣ ଚିତ୍ରକଳା ଓ ଶିଳ୍ପକଳା, ଗଳ୍ପକଥନ, ଗଣିତ ଦୌଡ଼, ଗଣିତ କୁଇଜ୍ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତି ପ୍ରତିଯୋଗିତାରୁ ୩ ଜଣ ଲେଖାଁଏ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ଵାରା ସାର୍ଟିଫିକେଟ୍ ଏବଂ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା । ସମସ୍ତ ଅତିଥିଗଣ, ପ୍ରତିଯୋଗୀ ଏବଂ ଉପସ୍ଥିତ ଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଖାଦ୍ୟ ପାନୀୟର ବ୍ୟବସ୍ଥା ହୋଇଥିଲା । ଯେଉଁ ପ୍ରତିଯୋଗୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି, ସେମାନେ ଆଗାମୀ ବ୍ଳକ୍ ସ୍ତରୀୟ ସୁରଭିି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ବୋଲି ଶ୍ରୀ ଶିକା ଜଣାଇ ଦେଇଥିଲେ । କାର୍ଯ୍ୟକ୍ରମର ଶେଷରେ ଶ୍ରୀ ପ୍ରଧାନୀ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ କାର୍ଯ୍ୟକାରୀ ସଭାପତି କାର୍ଯ୍ୟକ୍ରମଟିକୁ ସାଙ୍ଗ ଘୋଷଣା କରିଥିଲେ ।