- ଉଚ୍ଚତର ଚିକିତ୍ସା ପାଇଁ ସ୍ଥାନାନ୍ତର
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଘୁନଶର ଗ୍ରାମର ୫୫ ବର୍ଷୀୟ ମହାଦେବ ଧରୁଆ ଗତ ପାଞ୍ଚ ମାସ ଧରି ଜୀବନ ଓ ମୃତ୍ୟୁ ମଧ୍ୟରେ ସଂଘର୍ଷ କରୁଛନ୍ତି । ପେଟ ଅପରେସନ ପରେ ଷ୍ଟିଚ ଖୋଲିଯିବାରୁ ତାଙ୍କ ଅବସ୍ଥା ଗମ୍ଭୀର ହୋଇପଡିଥିଲା । ଖବର ପ୍ରକାଶ ପରେ ପ୍ରଶାସନ ତତ୍ପରତା ଦେଖାଇ ତୁରନ୍ତ ମହାଦେବଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରି ଉଚ୍ଚତର ଚିକିତ୍ସାର ବ୍ୟବସ୍ଥା କରାଇଛି । ଏଥି ମଧ୍ୟରେ ଗାଁ ଓ ଅଞ୍ଚଳର ଅନେକ ସ୍ୱେଚ୍ଛାସେବୀ ମୋହନ ସୁନା, ଅଶୋକ କୁମାର ବାଗ, ଉପେନ୍ଦ୍ର ଭୋଇ, ଚଏତୁ ଛୁରା, ମହାବୀର ପଧାନ, ତପ ସାହୁ, ଜ୍ୟୋତିଷ ଚନ୍ଦ୍ର ସାହୁ, ପରମେଶ୍ୱର ନାଏକ, ଜନାର୍ଦ୍ଦନ ସୁନା, ବବରୁ ସାହୁ ପ୍ରମୁଖ ଆଗେଇ ଆସି ମହାଦେବଙ୍କ ପରିବାରକୁ ଆର୍ଥିକ ଓ ମାନସିକ ସହାୟତା ଯୋଗାଇଛନ୍ତି । ସମାଜର ଏହି ମାନବିକ ପଦକ୍ଷେପ ଗରିବ ପରିବାର ପାଇଁ ନୂଆ ଆଶା ଜଗାଇଛି । ଅନ୍ୟପଟେ ପାଟଣାଗଡ଼ ଉପ-ଜିଲ୍ଲାପାଳ ଅନିଲ ମେହେର, ଖପ୍ରାଖୋଲ ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀ, ତହସିଲଦାର ସତ୍ୟ ପ୍ରକାଶ ରାଉତରାୟ ଏବଂ ମେଡିକାଲ ଅଫିସର ଡ଼ଃ. ସୁରଜ ଦୀପଙ୍କ ସହ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଯେପରି ତୁରନ୍ତ ତତ୍ପରତା ଦେଖାଇଛନ୍ତି, ତାହା ବୁଦ୍ଧିଜୀବୀ ମହଲରେ ଅଭିନନ୍ଦନୀୟ ମନାଯାଉଛି । ମହାଦେବଙ୍କ ଜୀବନ ରକ୍ଷା ଅଭିଯାନ ଏବେ ଅଞ୍ଚଳରେ ମାନବିକତାର ନୂଆ ଦୃଷ୍ଟାନ୍ତ ହୋଇଉଠିଛି ।