ଆଗଲପୁର ବିଡିଓଙ୍କୁ ଦାବୀପତ୍ର ଦେଲେ ପଂଚାୟତର ଇସି ଓ ଜିପିଏଲ୍‌ଏଫ୍‌ ସଭ୍ୟା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ୨୦ଗୋଟି ପଂଚାୟତର ଇସି ଓ ଜିପିଏଲ୍‌ଏଫ୍‌ ସଭ୍ୟା ତାଙ୍କ ବକେୟା ପାଉଣାକୁ ନେଇ ଆଗଲପୁର ବିଡିଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି । ସୂଚନା ମୁତାବକ, ଏହି ସଭ୍ୟାମାନେ ୨୦୨୨ ମସିହାଠାରୁ ପ୍ରତ୍ୟେକ ମାସ ପ୍ରାପ୍ୟ ପାଉଥିଲେ । କିନ୍ତୁ ସରକାରଙ୍କ ବକେୟା ଥିବା ବର୍ଦ୍ଧିତ ରାଶି ତଥା ପାଇବାକୁ ଥିବା ୧୬ ମାସର ପୁରୁଣା ପାଉଣା ଦିଆଯିବା ସକାଶେ ବ୍ଲକ କାର୍ଯ୍ୟାଳୟରେ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ବିଡିଓଙ୍କୁ ଦାବୀପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି । ଅଭିଯୋଗ ଅନୁଯାୟୀ ବ୍ଲକର ଇସି ସଭ୍ୟାଙ୍କୁ ବାହାରକୁ ବୁଲାଇ ନେବା ପାଇଁ ବିଭାଗୀୟ ଅଧିକାରୀ ୨୦୦୦ଟଙ୍କା ଲେଖାଏଁ ସଭ୍ୟା ମାନଙ୍କଠାରୁ ନେଇଥିଲେ । ହେଲେ ଦୀର୍ଘ ୬ମାସ ବିତିଯାଇଥିଲେ ମଧ୍ୟ କୌଣସି ସ୍ଥାନକୁ ପରିଭ୍ରମଣ ସକାଶେ ନେଇନଥିବାରୁ ସଭ୍ୟାମାନେ କ୍ଷୋଭ ପ୍ରକାଶ କରିଥିଲେ । ଉକ୍ତ ବିଷୟକୁ ନେଇ ବ୍ଲକ କାର୍ଯ୍ୟାଳୟରେ ବୈଠକ ଡାକିଲେ ମଧ୍ୟ ବିଭାଗୀୟ ଅଧିକାରୀ କିଛି ବାହାନା ଦେଖେଇ ଅନୁପସ୍ଥିତ ରହୁଥିଲେ । ତେଣୁ ସମସ୍ତ ସଭ୍ୟାମାନେ ମିଳିତ ହୋଇ ଆଗଲପୁର ବିଡିଓଙ୍କୁ ଉକ୍ତ ବିଷୟରେ ଅବଗତ କରି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହାର ଉପଯୁକ୍ତ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.