ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଅନ୍ତର୍ଗତ ଦାନାମାଲ ଗ୍ରାମର ଶେଷଦେବ ବାରିକଙ୍କ ବଡ ପୁଅ ବସୁଦେବ ବାରିକ (୪୦) ଗତ ମଙ୍ଗଳବାର ରାତିରେ ନିଜ ଜମିରେ ଥିବା ଆମ୍ବ ଗଛରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ସୂଚନା ଅନୁଯାୟୀ, ବସୁଦେବ ପରିବାର ପରିପୋଷଣ ପାଇଁ ସ୍ତ୍ରୀ ଏବଂ ପାଞ୍ଚ ବର୍ଷର ପୁଅ ସହିତ ପାଟଣାଗଡ଼ରେ ଘର ଭଡା ନେଇ ରହୁଥିଲେ ଏବଂ ଡ୍ରାଇଭର ଭାବେ କାମ କରୁଥିଲେ । ସେ କିଛି ସମୟ ପୂର୍ବରୁ ବାହାର ରାଜ୍ୟରୁ କାମ କରି ଫେରି ପାଟଣାଗଡ଼ରେ ରହୁଥିଲେ । ଗତକାଲି ସେ ନିଜ ସ୍ତ୍ରୀଙ୍କୁ କହିଥିଲେ ଯେ ନିଜ ଗାଁକୁ ପିଡ଼ିଏସ ଚାଉଲ ଆଣିବାକୁ ଯାଉଛନ୍ତି ବୋଲି । ସେ ଗାଁରେ ଆସି ରାତି ୯ଟା ପର୍ଯ୍ୟନ୍ତ ଦାଣ୍ଡରେ ଲୋକଙ୍କ ସହିତ ବସିଥିଲେ । ପରେ ଘରଲୋକଙ୍କୁ କହିଥିଲେ ଯେ, ନିକଟସ୍ଥ ଗାଁରେ ହେଉଥିବା କରମସାନି ଯାତ୍ରା ଦେଖିବାକୁ ଯାଉଛି — କିନ୍ତୁ ତାହା ପରେ ସେ ଘରକୁ ଫେରିନଥିଲେ । ବୁଧବାର ସକାଳେ ତାଙ୍କ ବାପା ଏବଂ କାକା ଜମି ପଟେ ଯାଇ ଦେଖିଲେ ଯେ ବସୁଦେବ ଆମ୍ବ ଗଛରେ ରଶି ଲଗାଇ ଝୁଲି ରହିଛନ୍ତି । ଘଟଣା ଦେଖି ବୃଦ୍ଧ ବାପା ଭାଙ୍ଗି ପଡ଼ିଥିଲେ । ଖପ୍ରାଖୋଲ ପୋଲିସ ସୂଚନା ପାଇ ଏଏସଆଇ ରବୀନ୍ଦ୍ର କୁମ୍ଭାର ଏବଂ ଏଏସଆଇ ନବୀନ ଭୋଇ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ଏନେଇ ଖପ୍ରାଖୋଲ ଥାନାରେ ୟୁଡି କେସ ନଂ–୧୧/୨୦୨୫ରେ ମାମଲା ରୁଜୁ ହୋଇଛି । ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ଖପ୍ରାଖୋଲ ଡାକ୍ତରଖାନାକୁ ପଠାଇ ଘଟଣାର ଅଧିକ ତଦନ୍ତ କରୁଛି । ଅଞ୍ଚଳରେ ଏହି ଅପ୍ରତ୍ୟାଶିତ ଘଟଣାକୁ ନେଇ ଶୋକ ଖେଳିଯାଇଛି ।
Prev Post
Next Post