ଏଥର ହାଉସଫୁଲ୍ ହେବ ସିନେମା ହଲ୍ : ମିଳିଲା ଗ୍ରୀନ ସିଗନାଲ

ମୁମ୍ବାଇ : ଏଣିକି ହାଉସଫୁଲ ହେବ ସିନେମା ହଲ୍ । ଫେବ୍ରୁଆରୀ ୧ରୁ ଅର୍ଥାତ ଆସନ୍ତାକାଲିଠାରୁ ଶତ ପ୍ରତିଶତ ଦର୍ଶକରେ ଚାଲିବ ଫିଲ୍ମ ହଲ୍ । ଏନେଇ ଗ୍ରୀନ ସିଗନାଲ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅନୁମତି ମିଳିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହୋଇପାରିବ । ଫିଲ୍ମ ଡିଷ୍ଟ୍ରିବୁଟର ଓ ହଲ୍ ମାଲିକମାନେ ଉପକୃତ ହେବା ନେଇ ଆଶା କରାଯାଉଛି । କରୋନା ଯୋଗୁଁ ଗତ ମାର୍ଚ୍ଚ ମାସରୁ ବନ୍ଦ ଥିଲା ସିନେମା ହଲ୍ । ଗତ ଅକ୍ଟୋବର ମାସରୁ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ । ଏବେ ଶତ ପ୍ରତିଶତ ଦର୍ଶକଙ୍କୁ ହଲ୍ ଖୋଲିବାକୁ ଅନୁମତି ମିଳିଛି । ତେବେ କରୋନା ସଂକ୍ରମଣ ଏଡ଼ାଇବା ପାଇଁ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଏସ୍ଓପି ଜାରି କରାଯାଇଛି । ହଲ୍ ବାହାରେ, ଅପେକ୍ଷାଗୃହରେ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି । ପରସ୍ପରଠାରୁ ୬ ଫୁଟ୍ ଦୂରତା ବଜାୟ ରଖିବା ସହ ଫେସ୍ କଭର କିମ୍ବା ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ହଲ୍ ପରିସରରେ ସାନିଟାଇଜର ରଖିବା ସହ ଦର୍ଶକଙ୍କ ପ୍ରବେଶ ଓ ପ୍ରସ୍ଥାନକୁ ଟଚ୍ ଫ୍ରି ମୋଡ୍ କରିବା ପାଇଁ ଗାଇଡ୍ ଲାଇନ୍ ଜାରି ହୋଇଛି । ହଲ୍ ପରିସରରେ ଯଦି କେହି ଅସୁସ୍ଥତା ଅନୁଭବ କରନ୍ତି ତେବେ ତୁରନ୍ତ ହେଲ୍ପ ଲାଇନ୍ ନମ୍ବରରେ ଯୋଗାଯୋଗ କରିବା ପାଇଁ କୁହାଯାଇଛି । ହଲ୍ ପରିସରରେ ଛେପ ପକାଇବା ଉପରେ କଟକଣା ଲଗାଯାଇଛି । ସେହିପରି ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବାକୁ ସମସ୍ତ ଦର୍ଶକଙ୍କୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.