ଯୁବତୀ ଚାଲାଣ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକ ଯୁବତୀ ଚାଲାଣ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଥମ ମୁକ୍ତିରଞ୍ଜନ ଶତପଥୀ ଅଭିଯୁକ୍ତ ସୁରା ଲୁଗୁନକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଯୁବତୀ ଚାଲାଣ ସମ୍ପର୍କରେ ଉଷାରାଣୀ ଟପ୍ପୋଙ୍କ ଲିଖିତ ଅଭିଯୋଗ ଆଧାରରେ ରାଉରକେଲା ରେଳବାଇ ପୋଲିସ୍ ପକ୍ଷରୁ କେଶ ନଂ ୫୮/୨୧ରେ ତଦନ୍ତ କରାଯାଇଥିଲା । ରେଳବାଇ ପୋଲିସ୍ ଅଧିକାରୀ ଜ୍ୟୋତ୍ସା ସେଠ ଘଟଣାର ତଦନ୍ତ କରିଥିଲେ । ୧୪/୧୦/୨୦୨୧ ସକାଳ ୮ଟା ୪୦ରେ ୦୮୪୭୭ ଉତ୍କଳ ଏକ୍ସପ୍ରେସ ପ୍ଲାଟଫର୍ମ ନଂ ୧ରେ ପହଞ୍ଚିବା ପରେ ଅଭିଯୋଗ କରିଥିବା ଉଷାରାଣୀଙ୍କ ସହ ତଦନ୍ତକାରୀ ଅଧିକାରୀ ଜ୍ୟୋତ୍ସା ସେଠ, ଏସ୍‌ଆଇ ଡି. କର ଓ ରେଳବାଇ ଥାନାର ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ରହି ଅଭିଯୁକ୍ତ ସୁରା ଲୁଗୁନକୁ ଗିରଫ କରିବା ସହ ପଞ୍ଜାବକୁ ଚାଲାଣ ହେଉଥିବା ଯୁବତୀ ଜସ୍ମିନ କୁଡୁ ଓ ବାସନ୍ତୀ କାନ୍ଦିରାକୁ ଉଦ୍ଧାର କରିଥିଲେ । ଅଭିଯୁକ୍ତଙ୍କ ବିରୋଧରେ ରେଳପଥ ପୁଲିସ ଭାରତୀୟ ପିଙ୍ଗଳ କୋଡ଼ର ଦଫା ୩୬୩/୩୭୦(୨)(୩)(୪)/୩୭୪ ଦଫାରେ ଅଭିଯୋଗ ପତ୍ର ଦାଖଲ କରିଥିଲା । ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଥମ ଶ୍ରୀ ଶତପଥୀଙ୍କ ଅଦାଲତରେ ଏହାର ବିଚାର ଚାଲିଥିଲା । ବିଚାରପତି ୧୨ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ୩୭୦(୨) ଦଫାରେ ଅଭିଯୁକ୍ତ ସୁରା ଲୁଗୁନକୁ ୭ ବର୍ଷ କାରାଦଣ୍ଡ ଓ ୩୦ ହଜାର ଟଙ୍କା ଜରିମାନା ଦେବାକୁ ରାୟରେ ଉଲ୍ଲେଖ କରିଛନ୍ତି । ଜରିମାନା ଅନାଦେୟ ଅଧିକ ୧ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି । ସେହିପରି ୩୭୦(୩) ଦଫାରେ ୧୦ବର୍ଷ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା ଦେବାକୁ ରାୟରେ ଉଲ୍ଲେଖ କରିଛନ୍ତି । ଜରିମାନା ଅନାଦେୟ ଅଧିକ ୧ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି । ଏହି ମାମଲା ସୁନ୍ଦରଗଡରେ ଅବସ୍ଥାପିତ ଉପ ନିର୍ଦ୍ଦେଶକ ଅଭିଯୋଜକଙ୍କ ତତ୍ତ୍ଵାବଧାନରେ ସରକାରୀ ଓକିଲ ଅମ୍ବିକା ପ୍ରସାଦ ସିଂ ଓ ବିଜୟ କୁମାର ଦାସ ମାମଲା ପରିଚାଳନା କରିଥିଲେ ।

Leave A Reply

Your email address will not be published.