ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ସ୍କାଉଟ ଆଣ୍ଡ ଗାଇଡ, ରାଉରକେଲା ସ୍କାଉଟ ଜିଲ୍ଲା ତରଫରୁ ଆନ୍ତର୍ଜାତିକ ଶାନ୍ତି ଦିବସ ସେକ୍ଟର ୧୯ ସ୍ଥିତ ଇସ୍ପାତ ଗାନ୍ଧୀ ଉଦ୍ୟାନ ଠାରେ ପାଳିତ ହୋଇଯାଇଛି । ସ୍କାଉଟ ଆଣ୍ଡ ଗାଇଡର ଜିଲ୍ଲା କମିଶନର ବ୍ରଜେନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ର୍କାଯ୍ୟକ୍ରମରେ ରାଉରକେଲା କଲେଜର ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ମୁଖ୍ୟ ଅତିଥି ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶାନ୍ତି ଦିବସ ପାଳନର ଆଭିମୁଖ୍ୟ ଓ ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟଅତିଥି ଶ୍ରୀ ପାଟ୍ଟଶାଣୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ସଂପ୍ରତି ବିଶ୍ଵ ଯୁଦ୍ଧ ବିଭିଷିକା ଓ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ ମଣିଷ ନିଜର ଆତ୍ମବଡିମା ପାଇଁ ବିଭିନ୍ନ କ୍ଷେତ୍ରରେ ପ୍ରତିଯୋଗିତା କରି ଶାନ୍ତି ଭଙ୍ଗ କରୁଛି । ଏପରି ସମୟରେ ଭାରତୀୟ ସ୍କାଉଟ ଆଣ୍ଡ ଗାଇଡର ଏଭଳି କାର୍ଯ୍ୟକ୍ରମ ନିଶ୍ଚୟ ପ୍ରଶଂସାଯୋଗ୍ୟ । ସମ୍ମାନିତ ଅତିଥି ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ଯେ, ବିଶ୍ୱରେ ପ୍ରାୟ ୧୫୦ଟି ଦେଶ ଏହି ଶାନ୍ତି ଦିବସ ପାଳନ କରୁଥିବା ବେଳେ ରାଉରକେଲା ସ୍କାଉଟ ଜିଲ୍ଲା ତରଫରୁ ଏଭଳି ସଚେତନତା କାର୍ଯ୍ୟକ୍ରମ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ହେବ । ଛାତ୍ର କେଶବାନନ୍ଦ ସ୍ୱାଇଁ ଶାନ୍ତି ଦିବସ ପାଳନ ଉପରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ କମିଶନର ଶ୍ରୀ ଦାଶ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ପରିପ୍ରେକ୍ଷୀରେ ଅତିଥିମାନେ ଉଦ୍ୟାନ ପରିସରରେ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ସହରର ବିଭିନ୍ନ ସ୍କୁଲର ସ୍କାଉଟ ଓ ଗାଇଡ ତଥା ଅତିଥିମାନେ ଗାନ୍ଧୀ ଉଦ୍ୟାନରେ ସଫେଇ କାର୍ଯ୍ୟକ୍ରମ ସହ ଏକ ସଚେତନତା ରାଲିରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍କାଉଟ ଓ ଗାଇଡ ମାଷ୍ଟର ଶ୍ରୀବତ୍ସ ସାମଲ, ଶିଶିର ସାମଲ, ସୁରେଶ କୁମାର ପଣ୍ଡା, ଅରୁଣ ସ୍ୱାଇଁ, ସୀମା ଚକ୍ରବର୍ତ୍ତୀ, ଶିଶିର କୁମାର ପାଣି, ଅଭୟ କୁମାର ବିଶ୍ୱାଳ, ଶ୍ୱାଶ୍ୱତୀ ଦାସ, ଗୀତାରାଣୀ ନାୟକ, ଲକ୍ଷ୍ମୀ ସାହୁ, ଅକ୍ଷୟ କୁମାର ଦାସ, ଶୋଭା ଗୁପ୍ତା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଦୀପିକା ଇସ୍ପାତ ଶିକ୍ଷା ସଦନ, ବାଜି ରାଉତ ଶିକ୍ଷା ନିକେତନ, ସେକ୍ଟର ୭ ଚିନ୍ମୟ ବିଦ୍ୟାଳୟ, ବାସନ୍ତୀ କଲୋନୀର ଡିଏଭି ପବ୍ଲିକ ସ୍କୁଲ, ଓଏସ୍ଏପି, ନୀଳମାଧବ ବିଦ୍ୟାମନ୍ଦିର, ଏସ୍ଓଏସ୍ ଭିଲେଜର ପ୍ରାୟ ୨୦୦ରୁ ଅଧିକ ସ୍କାଉଟ ଆଣ୍ଡ ଗାଇଡ ଯୋଗଦେଇ ଥିଲେ ।