ବାରିପଦା, (ଦେବସ୍ମିତ ଚୌଧୁରୀ) : ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭାରତୀୟ ପ୍ରଶାସନିକ ସେବାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ତଥା ମାନ୍ୟବର ରାଜ୍ୟ ନିର୍ବାଚନ କମିଶନର, ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ହେମକାନ୍ତ ସୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନେତ୍ରା ନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଇଶ୍ୱର ଚନ୍ଦ୍ର ନାଏକ, ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ସୁଚାରୁ କୁମାର ବଳ, ରାଇରଙ୍ଗପୁର ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନ, କରଞ୍ଜିଆ ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା, ଆଇଏଏସ୍ ପ୍ରବେସନର ମିସ କାଶିଷ ବକ୍ସି, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା ଓ ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ପଂଚାୟତ ଅଧିକାରୀ ଶାନ୍ତନୁ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ମତଦାନ ସହିତ ଜଡିତ ବିଭିନ୍ନ କାର୍ଯ୍ୟ ଓ ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ସମୀକ୍ଷା କ୍ରମରେ ମାନ୍ୟବର କମିଶନର ମତଦାନ ସହିତ ସଂଶ୍ଲିଷ୍ଟ ବିଭିନ୍ନ ବିଷୟରେ ଯଥା ବାଲେଟ ବକ୍ସର ଉପଲବ୍ଧତା, ମତଦାନ କେନ୍ଦ୍ରର ସବିଶେଷ ତଥ୍ୟ, ମତଦାନ କେନ୍ଦ୍ରର ପୁନଃବ୍ୟବସ୍ଥାପନ/ପରିବର୍ତ୍ତନ, ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ, ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ, ଗ୍ରାମ ପଂଚାୟତ ୱାରୀ ନିର୍ବାଚନ ରୋଲ ଏବଂ ବୁଥ ସ୍ତରୀୟ ଅଧିକାରୀଙ୍କ ସବିଶେଷ ତଥ୍ୟ ଉପରେ ସମୀକ୍ଷା କରିଥିଲେ । ଏହାପରେ କମିଶନର, ଅଧିକାରୀମାନଙ୍କୁ ନିର୍ବାଚନ କାର୍ଯ୍ୟ ପରିଚାଳନା ସମୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ବିଷୟରେ ପଚାରି ବୁଝିବା ସହ ମତାମତ ଲୋଡ଼ିଥିଲେ ଏବଂ ଏଗୁଡିକ ସମାଧାନ କରିବା ଦିଗରେ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ । ଏତଦ ବ୍ୟତୀତ ଆଗାମୀ ସମୟରେ ନିର୍ବାଚନର ସହଜ ଓ ସୁଗମ ପରିଚାଳନା ପାଇଁ ପ୍ରକ୍ରିୟାରେ କିଛି ନୂତନ ସଂସ୍କାର ଅଣାଯିବ ଯଦ୍ୱାରା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେଉଥିବା ଅଧିକାରୀ ଓ କର୍ମଚାରୀମାନେ ସହଜରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିପାରିବେ ବୋଲି ପ୍ରକାଶ କରିଥିଲେ । ଏଥିପାଇଁ ନିର୍ଭୁଲ ଇଲେକ୍ଟରାଲ ରୋଲ ପ୍ରସ୍ତୁତି ପାଇଁ ଖୁବ ଶୀଘ୍ର ଏକ ପାଇଲଟ ପ୍ରକଳ୍ପ କାର୍ଯ୍ୟକାରୀ ଆରମ୍ଭ ହେବାକୁ ଯାଉଛି । ଭାରତ ଭଳି ବୃହତ ଗଣତନ୍ତ୍ର ରାଷ୍ଟ୍ରରେ ନିର୍ବାଚନ ଏକ ଅବିଛେଦ୍ୟ ଅଙ୍ଗ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଥିବାରୁ ଏଥିରେ ନିୟୋଜିତ ହେଉଥିବା ସମସ୍ତ ଅଧିକାରୀ ଦାୟିତ୍ୱର ସହ ସମସ୍ତ ପ୍ରକ୍ରିୟାକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ । ପରିଶେଷରେ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠିତ ବୈଠକରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ୟୁଏଲବିର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।