ବିଷ ପିଇ ଆତ୍ମହତ୍ୟା କଲେ ମହିଳା : ହତ୍ୟା ନାଁ ଆତ୍ମହତ୍ୟା କାରଣ ଖୋଜୁଛି ପୋଲିସ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ମହୁରୁଣ୍ଡି ଗାଁରେ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ ନେଇ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ମହିଳା ଜଣକ ସୁରେଖା ଭୋଇ (୪୫) ବୋଲି ଜଣାପଡିଛି । ବେଲପଡା ଥାନା ଅନ୍ତର୍ଗତ ଭାଲୁଖାଇ ଗ୍ରାମର ଡୁଳେନ୍ଦ୍ର ସାହୁଙ୍କ କନ୍ୟା ସୁରେଖା ୧୬ ବର୍ଷ ତଳେ ଖପ୍ରାଖୋଲ ଥାନା ମହୁରୁଣ୍ଡି ଗ୍ରାମର ଲକ୍ଷ୍ମଣ ଭୋଇ ଓରଫ (ମିଟୁ)ଙ୍କୁ ବିବାହ କରିଥିଲେ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ଲକ୍ଷ୍ମଣଙ୍କ ମଦ ପିଇବାକୁ ନେଇଁ ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିରହୁଥିଲା । ଅଗଷ୍ଟ ପନ୍ଦର ସ୍ୱାଧୀନତା ଦିବସରେ କୌଣସି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯାହାକୁ ନେଇ ସୁରେଖା ଜମିରେ ଘାସ ମରିବା ପାଇଁ ବ୍ୟବହୃତ ବିଷ ଘରେ ରଖା ହୋଇଥିବା ବେଳେ ତାକୁ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ଗୁରୁତର ଅବସ୍ଥାରେ ସୁରେଖାଙ୍କୁ ପ୍ରଥମେ ପାଟଣାଗଡ଼ ମେଡିକାଲରେ ଭର୍ତ୍ତି କରିଥିଲେ ସେଇଠୁ ବଲାଙ୍ଗିର ଭୀମଭୋଇ ଏବଂ ପରେ ବୁର୍ଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ସୁରେଖାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ବିଷୟରେ ଖବର ପାଇ ସୁରେଖାଙ୍କ ଦୁଇ ଭାଇଙ୍କ ସହ ପରିବାର ଲୋକ ଖପ୍ରାଖୋଲ ଥାନାରେ ସ୍ୱାମୀ ଲକ୍ଷ୍ମଣ ଭୋଇ ଏବଂ ଶାଶୁ ବେଲମତି ଭୋଇଙ୍କ ନାମରେ ଲିଖିତ ଅଭିଯୋଗ କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି । ସୁରେଖାଙ୍କ ଶବ ବ୍ୟବଚ୍ଛେଦ ବୁର୍ଲାରେ ହୋଇଥିବାବେଳେ ମହୁରୁଣ୍ଡି ଗ୍ରାମକୁ ତାଙ୍କ ମର ଶରୀର ଅଣାଯାଇଥିଲା । ଅନ୍ୟପଟେ ଅଭିଯୋଗ ଅନୁଯାୟୀ ସ୍ୱାମୀ ଲକ୍ଷ୍ମଣକୁ ପୋଲିସ ଥାନାରେ ଅଟକ ରଖି ଥିବାବେଳେ ସ୍ତ୍ରୀକୁ ମୁଖାଗ୍ନି ଦେବା ପାଇଁ ପୋଲିସ କଡା ନିରାପତ୍ତା ସହ ସ୍ୱାମୀ ଲକ୍ଷ୍ମଣକୁ ଶ୍ମଶାନ ଘାଟକୁ ନେଇଥିଲେ । ଗୋଟେପଟେ ମହିଳାଙ୍କ ଶାଶୁଘର ଲୋକେ ଏହାକୁ ଆତ୍ମହତ୍ୟା ବୋଲି କହୁଥିବାବେଳେ  ବାପଘର ଲୋକେ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୧୮୪/୨୦୨୫ରେ ଏକ ହତ୍ୟା ମାମଲା ଋଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.