ଗାନ୍ଧିମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ରଣହୁଙ୍କାର : ମୁକ୍ତ ହେବ ଅପରାଧ ଦମନ ହେବେ ଅପାରଧୀ

ଭୁବନେଶ୍ୱର : ଭୁବନେଶ୍ୱରରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଛନ୍ତି । ରାଜ୍ୟରେ ସଂଗଠିତ ଅପରାଧକୁ ଦମନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି । ବ୍ୟକ୍ତି ଯେତେ ବି ପ୍ରଭାବଶାଳୀ କିମ୍ବା ଶକ୍ତିଶାଳୀ ହୁଅନ୍ତୁ, ଗିରଫ କରାଯିବ, କଠୋର ଦଣ୍ଡ ଦିଆଯିବ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଆଜିର ଦିନ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଆମର ପୁଲିସ ଏବଂ ସୈନ୍ୟ ବାହିନୀ, ଯେଉଁମାନଙ୍କ ହାତରେ ଦେଶର ସୁରକ୍ଷା, ଏକତା ଓ ଅଖଣ୍ଡତାକୁ ବଜାୟ ରଖିବାର ଗୁରୁ ଦାୟିତ୍ଵ ଅର୍ପିତ ଅଛି । ଦଳମତ ନିର୍ବିଶେଷରେ ସେମାନଙ୍କୁ ସମ୍ମାନ ଜଣାଇବା ଏବଂ ତାଙ୍କୁ ନେଇ ଗର୍ବ କରିବା ଆମ ସମସ୍ତଙ୍କର ଦାୟିତ୍ଵ । ତେଣୁ, ଆମ ସରକାର ରାଜ୍ୟରେ ଡ୍ୟୁଟି ସମୟରେ ପ୍ରାଣବଳି ଦେଇଥିବା ପୁଲିସ କର୍ମଚାରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ପୁଲିସ ମେମୋରିଆଲ ନିର୍ମାଣ କରିବେ, ଯାହା ତାଙ୍କ ତ୍ୟାଗ ଓ ବଳିଦାନ ପାଇଁ ହେବ ଶ୍ରେଷ୍ଠ ନିଦର୍ଶନ । ସେ ଆହୁରି କହିଛନ୍ତି ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ପ୍ରତିରକ୍ଷା ବାହିନୀର ବୀର ସୈନିକ ଓ ସୁରକ୍ଷା ବାହିନୀର ଅମର ଯବାନ ମାନଙ୍କ ପ୍ରତି ମଧ୍ୟ, ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଆଜିର ଦିନ ସ୍ଵାଧୀନତା ସଂଗ୍ରାମ ପାଳନ କରିବା ପାଇଁ କେବଳ ଏକ ପ୍ରତୀକାତ୍ମକ ଉତ୍ସବ ନୁହେଁ । ଆଜିର ଦିନ ଆମକୁ କଷ୍ଟଲବ୍ଧ ସ୍ଵାଧୀନତା ବିଷୟରେ ସଚେତନ କରିବା ସହିତ, ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ପ୍ରତି ମୂହୁର୍ତ୍ତରେ ଚେତାଇ ଦେଇଥାଏ । ଆତଙ୍କବାଦ ବିରୋଧରେ ଦେଶର ନୀତି ଆହୁରି ଦୃଢ ଓ କଠୋର ହୋଇଛି । ଦେଶରେ, ବିଶେଷକରି ଜାମ୍ମୁ ଓ କାଶ୍ମୀରରେ ଶାନ୍ତି ଫେରି ଆସୁଥିବା ବେଳେ, ପଡୋଶୀ ଦେଶ ଆତଙ୍କବାଦକୁ ଅସ୍ତ୍ର ଭାବେ ବ୍ୟବହାର କରି, ଭାରତରେ ଅଶାନ୍ତି ଏବଂ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବାକୁ ପ୍ରୟାସ କରିଆସୁଛି । ଏହାର ସବୁଠାରୁ ବଡ ପ୍ରମାଣ ହେଲା, ଗତ ଏପ୍ରିଲ ୨୨ ତାରିଖର ପହଲଗାମ ହତ୍ୟାକାଣ୍ଡ । ଯେପରି ଭାବେ ନିରୀହ ଲୋକଙ୍କୁ ଧର୍ମ ପଚାରି ବର୍ବୋରୋଚିତ ଭାବେ ହତ୍ୟା କରାଗଲା, ତାହା କେବଳ ଏକ ସାଧାରଣ ଆତଙ୍କୀ ଆକ୍ରମଣ ନ ଥିଲା, ଏହା ଭାରତର ଜାତୀୟତା, ସାର୍ବଭୌମ୍ୟତା ଏବଂ ଅଖଣ୍ଡତା ଉପରେ ଥିଲା ଆକ୍ରମଣ । ବୋଧହୁଏ ପଡୋଶୀ ଦେଶ, ଉରି ସର୍ଜିକାଲ ଷ୍ଟ୍ରାଇକ ଓ ବାଲାକୋଟ ବାୟୁ ସେନାର ଆକ୍ରମଣରୁ କିଛି ଶିକ୍ଷାଲାଭ କରି ନ ଥିଲା । ତେଣୁ, ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦୀ ଜୀଙ୍କ ନେତୃତ୍ଵରେ ଭାରତୀୟ ସେନା ‘ଅପରେସନ ସିନ୍ଦୁର’ କରିଥିଲା । ଭାରତର ସେନା ବାହିନୀ ଶତ୍ରୁ ଦେଶର ୯ଟି ଆତଙ୍କବାଦୀଙ୍କ ଆଡ୍ଡା, ତଥା ୧୧ଟି ପାକିସ୍ତାନୀ ସାମରିକ ଘାଟିକୁ ନଷ୍ଟଭ୍ରଷ୍ଟ କରିଦେଇଥିଲେ ।

jittmm
Leave A Reply

Your email address will not be published.