୩ଟି ଶଗଡ଼ ଉପରେ ଚଢ଼ିଗଲା ହାଇୱା : ୩ ଗୁରୁତର, ୫ ବଳଦ ମୃତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର-ପାଟଣାଗଡ଼ ରାସ୍ତା ଧୁବଲପଡ଼ା ନିକଟରେ ଆଜି ଭୋର୍‌ ସକାଳୁ ୩ଟି ଶଗଡ଼ ଗାଡ଼ି ଉପରେ ହାଇୱା ଚଢ଼ି ଯାଇଥିବା ବେଳେ ଘଟଣା ସ୍ଥଳରେ ୫ ବଳଦର ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ନିକଟସ୍ଥ ଭଇଁଷା ଗାଁରୁ ଧୁବଲପଡ଼ାକୁ ପାଳ ନେବା ପାଇଁ ଶଗଡ଼ ଧରି ଆସୁଥିବା ବେଳେ ବଲାଙ୍ଗିର ପଟରୁ ପାଟଣାଗଡ଼ ଆଡ଼କୁ କ୍ଷୀପ୍ର ବେଗରେ ଯାଉଥିôବା ହାଇୱା ଗାଡ଼ି (ଓଡ଼ି-୦୩ଜି-୪୭୯୯) ଶଗଡ଼ ଗାଡ଼ିଗୁଡ଼ିକ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ୩ ଶଗଡ଼ରେ ଯୋଖା ହୋଇଥିବା ୫ ବଳଦଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଶଗଡ଼ରେ ଥିବା ଭଇଁଷା ଗାଁର ଶେଷଦେବ ପଟେଲ, କୃଷ୍ଣନିଧି ସାହୁ ଓ ଦିଲୁ ଭୁଏ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଆହତମାନଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌କୁ ଚିକିତ୍ସା ପାଇଁ ଅଣାଯାଇଥିବା କୁହାଯାଇଛି ।

ତେବେ ଆହତ ଶେଷଦେବ ପଟେଲଙ୍କ ଅବସ୍ଥା ଅତ୍ୟଧିକ ଗୁରୁତର ଥିବା ସୂଚନା ମିଳିଛି । ଦୁର୍ଘଟଣା ଘଟାଇ ହାଇୱା ଡ୍ରାଇଭର ଗାଡ଼ି ଛାଡ଼ି ଫେରାର୍‌ ହୋଇଯାଇଛି । ଅନ୍ୟପଟେ ସ୍ଥାନୀୟ ଲୋକେ ଏହି ଘଟଣାରେ ଉଦ୍‌କ୍ଷିପ୍ତ ହୋଇ ରାସ୍ତା ରୋକ କରିଥିବା ଯୋଗୁଁ ଏବେ ବଲାଙ୍ଗିର-ପାଟଣାଗଡ଼ ରାସ୍ତାରେ ଯିବା ଆସିବା ବାଧାପ୍ରାପ୍ତ ହୋଇଛି ।

Leave A Reply

Your email address will not be published.