ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାରେ ପୁଣି ଶିଶୁ ବିକ୍ରି ଅଭିଯୋଗ ଆସିଥିବା ବେଳେ ଆର୍ଥିକ ଅଭାବରୁ ଟିଟିଲାଗଡ ବ୍ଲକରେ ପୁଣି ଶିଶୁ ବିକ୍ରି ହୋଇଥିବା କୁହାଯାଉଛି । ସୂଚନା ମୁତାବକ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ ଭାଲେଗାଁ ପଞ୍ଚାୟତ ବାଗଡେର ଗାଁର ନୀଳ ରଣା ଆର୍ଥିକ ଅଭାବ ଯୋଗୁଁ ନିଜ ଦ୍ୱିତୀୟ ଶିଶୁ କନ୍ୟାକୁ କୋଡ଼ିଏ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ଗତ ୧ ତାରିଖ ଦିନ ନୀଳ ରଣାଙ୍କ ସ୍ତ୍ରୀ କନକ ରଣା ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ । ହେଲେ ଆର୍ଥିକ ଅନାଟନ ଯୋଗୁଁ ନିଜ ଜନ୍ମ କଲା ଶିଶୁ କନ୍ୟାକୁ ମାତ୍ର ୨୦ ହଜାର ଟଙ୍କାରେ ପର ହାତକୁ ଟେକି ଦେଇଥିବା ଅଭିଯୋଗ ହୋଇଛି । ସେ ପାଇକମାଲର ଏକ ବ୍ୟକ୍ତିକୁ ବିକ୍ରି କରି ଦେଇଥିଲେ । ନୀଳ ରଣାଙ୍କୁ ପୂର୍ବରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଥିଲା । ହେଲେ ବର୍ତ୍ତମାନ ରାସନ କାର୍ଡ କାଟି ଦେଇଥିବା ବେଳେ ନୀଳ ରଣା ଦିନ ମଜୁରିଆ ଭାବରେ କାମ କରୁଛନ୍ତି । ସରକାରୀ ଯୋଜନା ଗୁଡିକରୁ ବାଦ ପଡ଼ିଥିବା ନୀଳ ରଣା ଶେଷରେ ନିଜ ପରିବାର ମୁହଁରେ ଦାନା ଯୋଗାଇ ଦେବା ନେଇ ନିଜ ମାସକର ଝିଅକୁ ବିକ୍ରି କରିଥିବା କହିଛନ୍ତି । ତେବେ ଖବର ପାଇବା ପରେ ବଲାଙ୍ଗିରରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ସାମାଜିକ କର୍ମୀ ଅରୁଣ କୁମାର ଖୁଆସ, ଚାଇଲ୍ଡ ହେଲ୍ପ ଲାଇନ କାଉନସିଲର ଶ୍ରଦ୍ଧାଞ୍ଜଳି ସିଂହ, ବସନ୍ତ କୁମାର ହରପାଲ, କେଶ ୱାର୍କର, ଶୁଭମ୍ ଜେନା ତଦନ୍ତ କରିବାକୁ ପହଞ୍ଚିଥିଲେ । ତେବେ ଶିଶୁ ବିକ୍ରି ହେବା ଘଟଣା ପୋଲିସ ତଦନ୍ତ କରିବ ଏବଂ ଏବେ ଯାହାକୁ ଶିଶୁ କନ୍ୟା ଦିଆଯାଇଛି ସେହି ଲୋକଙ୍କ ଘରକୁ ଯାଇ ଶିଶୁ ଉଦ୍ଧାର ପାଇଁ କାର୍ଯ୍ୟ ଆରମ୍ଭ କରୁଛୁ ବୋଲି ସାମ୍ବାଦିକମାନଙ୍କୁ ଅଧିକାରୀ ନିଜ ପ୍ରତିକ୍ରିୟାରେ କହିଥିଲେ। ତେବେ ଏବେ ପାଇକମାଲରୁ ଶିଶୁ ଉଦ୍ଧାର ହୋଇଥିବା ସୁଚନା ଦେଇଛନ୍ତି ଟିଟିଲାଗଡ଼ ଥାନାଧିକାରୀ କଲ୍ୟାଣୀ ବେହେରା ।

Next Post