ନରସିଂହଙ୍କ ବଲାଙ୍ଗିର ବ୍ଲକ ଗସ୍ତ : ଲୋକାର୍ପିତ ହେଲା ପାନୀୟ ଜଳ ପ୍ରକଳ୍ପ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ସଦର ବ୍ଲକ ସ୍ଥିତ ଖଲିଆପାଲି, କୁଟୁମଡୋଲା, ଚନ୍ଦନଭାଟି ପଞ୍ଚାୟତର ବିଭିନ୍ନ ଗାଁ ଗସ୍ତ କରି ଲୋକଙ୍କର ସମସ୍ତ ପ୍ରକାର ଅଭିଯୋଗ ଶୁଣିଥିଲେ । ଏହି ଗସ୍ତ କାର୍ଯ୍ୟକ୍ରମରେ କୁଟୁମଡୋଲା ପଂଚାୟତର ଦୁଆନପାଲି ଠାରେ ୧କୋଟି ୨୩ ଲକ୍ଷ ଟଙ୍କାର ବହୁ ପ୍ରତୀକ୍ଷିତ ଏକ ପାଇପ ଯୋଗେ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ ବିଧାୟକ ଶ୍ରୀ ମିଶ୍ରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା ।ଏହି ପ୍ରକଳ୍ପରୁ ପାଇପ ଯୋଗେ କୁଟୁମଡୋଲା ପଞ୍ଚାୟତର ପ୍ରାୟତଃ ସମସ୍ତ ଗ୍ରାମକୁ ପିଇବା ପାଣି ଯୋଗାଇ ଦିଆଯିବ । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପରବର୍ତ୍ତି ଏକ ସଭାରେ ଶ୍ରୀ ମିଶ୍ର ଉପସ୍ଥିତ ଲୋକଙ୍କ ଠାରୁ ଅଭିଯୋଗ ଶୁଣିଥିଲେ । ବିଶେଷ କରି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ କିପରି ବାସଗୃହ, ରାସନ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା ତଥା ଗାଈଗୋରୁଙ୍କ ପାଇଁ ଗୁହାଳ ଅନୁଦାନ ସୁନିଶ୍ଚିତ କରାଯାଇ ପାରିବ ସେ ଉପରେ ଆଲୋଚନା କରିଥିଲେ । ଏହି କ୍ରମରେ ସେଠାରେ ଉପସ୍ଥିତ ଥିବା ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ତଥା ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଯୋଗ୍ୟ ତାଲିକା ତିଆରି କରି ତାଙ୍କୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତା ପୂର୍ବରୁ ସେ ଖଲିଆପାଲି ପଂଚାୟତର କିରାବାହାଲ, ସେମିଲିଆ, ରାମସିଂହା ଠାରେ ଲୋକଙ୍କର ଅଭିଯୋଗ ଶୁଣିଥିଲେ । ଲୋକଙ୍କ ଦାବୀ ମୁତାବକ ଅଗ୍ରାଧିକାର ଭିତ୍ତିରେ ସବୁ ପୁରଣ କରାଯିବ ବୋଲି ଶ୍ରୀ ମିଶ୍ର କହିଥିଲେ । ଏହି ଗସ୍ତ କାର୍ଯ୍ୟକ୍ରମରେ ରାମସିଂହାରେ ଏକ କମ୍ୟୁନିଟି ସେଣ୍ଟର, ଖଲିଆପାଲିରେ ମାହେଶ୍ୱରୀ ମଣ୍ଡପ ଏବଂ ସେମିଲିଆରେ ଏକ କମ୍ୟୁନିଟି ସେଣ୍ଟରର ଶୁଭ ଉଦ୍‌ଘାଟନ କରିଥିଲେ । ରାମସିଂହାରେ ବିଭିନ୍ନ ଯୋଜନା ଅନ୍ତର୍ଗତ ୭ଜଣ, ଖଲିଆପାଲିରେ ୮ଜଣ ଏବଂ ସେମିଲିଆରେ ୨ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା ।

କାର୍ଯ୍ୟକ୍ରମର ଶେଷ ଭାଗରେ ଚନ୍ଦନଭାଟି ଠାରେ ଉପସ୍ଥିତ ଥିବା ଲୋକଙ୍କ ସମସ୍ୟା ଶୁଣିବା ସହ ସେଠାରେ ଲୋକେ କିପରି ବିଭିନ୍ନ ପ୍ରକାର ଭତ୍ତା ଠିକ୍‌ ହିସାବରେ ପାଇବେ ଉପସ୍ଥିତ ଥିବା ସରପଂଚ ମୀନା କୁମାରୀ ଭୋଇ ଏବଂ ପଂଚାୟତ ନିର୍ବାହୀ ଅଧିକାରୀ ସଂଘମିତ୍ର ପ୍ରଧାନଙ୍କୁ ଶ୍ରୀ ମିଶ୍ର ସେଉପରେ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପଂଚାୟତର ବିଭିନ୍ନ ସମସ୍ୟା ଯଥା ବିଜୁଳି, ନୂଆ ନିର୍ମିଣ ହେଉଥିବା ରାସ୍ତା, ଡ୍ରେନେଜ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଆଲୋଚନା ହୋଇଥିଲା । ଏ ସମସ୍ତ ଗସ୍ତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତୀତ ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତୀ ବଘାର, ବିଧାୟକଙ୍କ ପ୍ରତିନିଧି ରାମ ମିଶ୍ର, କିଶୋର ସିଂ ନିନା, ଉମାଶଙ୍କର ପଣ୍ଡା, ବିଧାୟକଙ୍କ ଆରଡବ୍ଲୁଏସ୍‌ଏସ୍‌ ପ୍ରତିନିଧି ମାନସ ମହାନ୍ତି, ରାଧାକାନ୍ତ ଭୋଇ, ସରପଂଚ ରାନିମା ପାତ୍ର, ସରପଂଚ ସୁଲୋଚନା ବୁଡେକ, ସରପଂଚ ସତ୍ୟବାନ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଚୁଡାପାଲି ସରପଂଚ ଘାସିରାମ ବେହେରା, ଅନ୍ତ ବେହେରା, ଶୁଭ୍ରାଂଶୁ ପଣ୍ଡା, ପଂଚାୟତ ଅଧିକାରୀ ଶ୍ରୀ ମେହେର, ସମିତି ସଭ୍ୟ ଲଳିତ ଦୀପ, ଟିଟୁ ରଣା, ଛାତ୍ର ନେତା ଅଙ୍କିତ ସାହୁ, ମହେନ୍ଦ୍ର ମଲ୍ଲିକ, କପିଳେଶ୍ୱର ପାଣିଗ୍ରାହୀ, ବନମାଲି ପୁରୋହିତ, ସଂର୍କିତନ ମେହେର, ନାନ ମେହେର, ଦେବ ପ୍ରଧାନ, ଟୁନା ପାଣିଗ୍ରାହୀ, କନିଷ୍ଠ ଯନ୍ତ୍ରୀ ସସ୍ମିତା ମହାନ୍ତି, ଦେବରାଜ ବିଶ୍ୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.