
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ମାଟିର ପୁଅ ଦିନେଶ ମୀରାନିଆ (୪୫) ମଙ୍ଗଳବାର ପହଲଗାମ ଠାରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ସ୍ୱର୍ଗତ ପ୍ରୟାଗଚନ୍ଦ ଅଗ୍ରୱାଲଙ୍କ ସାନ ପୁଅ ଦିନେଶ ମୀରାନିଆ । ସେ ଲାଠୋର ଶ୍ରୀ ଦୂର୍ଗେଶ୍ୱରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ପାଠ ପଢିଲା ପରେ ବାପାଙ୍କ ବ୍ୟବସାୟ ସମ୍ଭାଳିଥିଲେ । ବହୁ ବର୍ଷ ହେବ ଦିନେଶ ଛତିଶଗଡ ରାଜଧାନୀ ରାୟପୁରକୁ ପରିବାର ବର୍ଗ ସହ ଯାଇ ସେଠାରେ ଷ୍ଟିଲ ବ୍ୟବସାୟ କରୁଥିଲେ । ସେ ତାଙ୍କର ୨୦ତମ ବିବାହ ବାର୍ଷିକ ଉତ୍ସବ ପାଳନ ପାଇଁ ସ୍ତ୍ରୀ ନେହା ଏବଂ ଏକ ଝିଅ ଓ ପୁଅଙ୍କୁ ସାଙ୍ଗରେ ନେଇ କାଶ୍ମୀର ଯାଇଥିଲେ । ମିନି ସ୍ୱିଜରଲେଣ୍ଡ କୁହାଯାଉଥିବା ପେହେଲଗାମ ଠାରେ ଆତାଙ୍କବାଦୀ ମାନଙ୍କ ଆକ୍ରମଣରେ ପ୍ରାଣ ହରାଇଥିଲେ । ଖବର ପ୍ରଚାରିତ ହେବା ପରେ ରାୟପୁର ତଥା ଲାଠୋରରେ ଶୋକର ଛାୟା ଖେଳି ଯାଇଥିଲା । ବୁଧବାର ରାତି ୯.୨୫ରେ ତାଙ୍କ ସମ୍ପର୍କୀୟ ମୃତ ଶରୀର ନେଇ ରାୟପୁର ପହଞ୍ଚିଥିଲେ । ଲାଠୋରରେ ଥିବା ତାଙ୍କ ସମ୍ପର୍କୀୟମାନେ ଗୁରୁବାର ରାୟପୁର ପହଞ୍ଚିଲା ପରେ ସେଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ଦୀନେଶଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଛତିଶଗଡ ରାଜ୍ୟ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ତାଙ୍କ ସହ ବିତ୍ତ ମନ୍ତ୍ରୀ ଓ ପି. ଚୌଧୁରୀ, ରାଜସ୍ୱ ମନ୍ତ୍ରୀ ଟଙ୍କରାମ ବର୍ମାଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।