
ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ କୈବର୍ତ୍ତ ସମାଜ, ରାଉରକେଲାର ୨୫ତମ ବାର୍ଷିକ ଉତ୍ସବ ତଥା ରୋପ୍ୟ ଜୟନ୍ତୀ ସଭାପତି ଜଗନ୍ନାଥ ବେହେରାଙ୍କ ଅଧ୍ୟକ୍ଷତାରେ ରାଉରକେଲାର ଭଞ୍ଜଚ୍ଛବନ ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଦୀପ ପ୍ରଜ୍ୱପଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜୁଏଲ ଓରାମ ତାଙ୍କ ବକ୍ତବ୍ୟରେ କୈବର୍ତ୍ତ ଜାତିକୁ ଏକତ୍ର ସୂତ୍ରରେ ବାନ୍ଧି ରଖିବା ସହିତ ଏହାକୁ ସୃଦୃଢ଼ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଜାତିର ପରମ୍ପରା ଓ ବୈବାହିକ ସମ୍ପର୍କ ରଖିବା ଏକାନ୍ତ ଆବଶ୍ୟକ । ଜାତି ହେଉଛି ହାତୀ ଠାରୁ ବଡ଼ । ଏଣୁ ସମସ୍ତେ ଏକତ୍ରିତ ହୋଇ ହେବା, ବୈଠକ କରିବା, ମେଳା ଆଦି କାର୍ଯ୍ୟକ୍ରମରେ ଯୋଗଦେଇ ପରସ୍ପର ମଧ୍ୟରେ ସମ୍ପର୍କ ରଖିବା ଦ୍ଵାରା ଆମର ସସ୍କୃତି ଓ ପରମ୍ପରା ସୃଦୃଢ଼ ହେବ ଯାହାକୁ ନିରନ୍ତର ଭାବେ ବଢାଇ ରଖିବାକୁ ଉପଦେଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଓଡ଼ିଶା କୈବର୍ତ୍ତ ମହାସଭାର ସଭାପତି ଡ଼ଃ. ଦେବେନ୍ଦ୍ର ନାଥ ବେହେରା ତାଙ୍କ ବକ୍ତବ୍ୟରେ ପୌରାଣିକ ସାହିତ୍ୟ ବିଷୟରେ ଅବଗତ କରିବା ସହିତ ସରକାରଙ୍କ ଦ୍ଵାରା ଜାତିକୁ ଦିଆ ଯାଉଥିବା ବିଭିନ୍ନ ଯୋଜନାର ସୁଯୋଗ ନେବାପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଓଡ଼ିଶା କୈବର୍ତ୍ତ ମହାସଭା ଉପସଭାପତି ଇ. ବିଷ୍ଣୁ ଚରଣ ବେହେରା, ଇସ୍ପାତ କାରଖାନା ଅଫିସର ସଂଘର ସଭାପତି ଇଂ ଅବକାଶ ବେହେରା, ଏନ୍ଆଇଟି ପ୍ରଫେସର ଡ଼ଃ ଅଜିତ କୁମାର ବେହେରା, ବିଜେପି ରାଜ୍ୟ ଉପ ସଭାପତି ସୁଶ୍ରୀ ସୁକେଷୀ ଓରାମ, ରାଉରକେଲା ଜିଲ୍ଲା ସଭାପତି ପୂର୍ଣ୍ଣିମା କେରକେଟା, କୈବର୍ତ୍ତ ସମାଜର ମିଡିଆ ପ୍ରଭାରୀ ତଥା ସୁନ୍ଦରଗଡ ଜିଲ୍ଲା ପତଂଜଳି ଯୋଗ ସମିତିର କର୍ମକର୍ତ୍ତା ଗଙ୍ଗାଧର ଦାସ ଆଦି ନେତୃବୃନ୍ଦ କୈବର୍ତ୍ତ ଜାତିର ଇତିହାସ, ବିକାଶ, ଆର୍ଥିକ, ସାମାଜିକ, ସାଂସ୍କୃତିକ, ରାଜନୈତିକ ଉତଥାନ ପାଇଁ ଶିକ୍ଷିତ ଚେତନାଶୀଳ ବ୍ୟକ୍ତି ଆଗେଇ ଆସିବା ସହିତ କିପରି ଦୈନନ୍ଦିନ ଜୀବନରେ ଯୋଗ ମାଧ୍ୟମରେ ନିରୋଗ ରହିବା ପାଇଁ ପରାମର୍ଶ ଦେଇଥିଲେ । ସମାଜର ସାଧାରଣ ସମ୍ପାଦକ ବି. ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିମାନଙ୍କୁ ଅତିଥି ବୃନ୍ଦ ପୁଷ୍ପଗୁଚ୍ଛ, ଉତ୍ତରୀୟ, ପ୍ରମାଣପତ୍ର ଓ ପୁରସ୍କାର ଦେଇ ସମ୍ମାନିତ କରିଥିଲେ । ଅର୍ଚ୍ଚନା ସାହୁଙ୍କ ସାହସିକ କାର୍ଯ୍ୟ ପାଇଁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ । କାର୍ଯ୍ୟକାରୀ ସଭାପତି ନଟବର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଗୋପବନ୍ଧୁ ତରାଇ ଧନ୍ୟବାଦ୍ ଦେଇଥିଲେ ।