ଟିଟିଲାଗଡ଼ର ମହାପ୍ରସିଦ୍ଧ ଶିବରାତ୍ରି ମେଳାର ପଡ଼ିଲା ପୂର୍ଣ୍ଣାହୁତି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶାର ସର୍ବପୁରାତନ ଶୈବପୀଠ ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ଟିଟିଲାଗଡ଼ର ପ୍ରସିଦ୍ଧ ଧବଳେଶ୍ଵର ପୀଠରେ ଚଳିତ ବର୍ଷ ମଧ୍ୟ ମହା ଶିବରାତ୍ରି ମେଳା ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଫେବୃଆରୀ ୨୫ ତାରିଖରୁ ଅଧିବାସ, ୨୬ରେ ଜାଗର ଯାତ୍ରା ଠାରୁ ପୂଜାର୍ଚ୍ଚନା, ନାମ ସଙ୍କୀର୍ତ୍ତନ ଆରମ୍ଭ ହୋଇ ମାର୍ଚ୍ଚ ମାସ ୩ ତାରିଖ ଅପରାହ୍ନରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଛି । ଏହି ହୋମଯଜ୍ଞରେ କର୍ତ୍ତା ଭାବେ ଟ୍ରଷ୍ଟି ସଞ୍ଜୀବ ପାଢ଼ୀ ସପତ୍ନି ପ୍ରଣତି ପାଢ଼ୀ ବସିଥିଲେ । ଚଳିତ ବର୍ଷ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ନିମନ୍ତ୍ରଣ ରଖି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓ ଅନ୍ୟାନ୍ୟ ବିଧାୟକ, ପୋଲିସ ଡିଆଇଜି, ଏସ୍‌ପି ଓ ଅନ୍ୟ ପଦାଧିକାରୀମାନେ ଆସି ଯୋଗ ଦେଇଥିଲେ । ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶ ହୋଇଥିବା ବେଳେ ପ୍ରାକୃତିକ ପରିବେଶ ଯାହାକି ପ୍ରଭୁ ଧବଳେଶ୍ଵରଙ୍କ ପୀଠ, ଯାହାର ଚାରି ପଟେ ଲଣ୍ଡା ପାହାଡ, ପାହାଡର ଗୁମ୍ଫା ଭିତରେ ପୂଜା ପାଆନ୍ତି ପ୍ରଭୁ ଧବଳେଶ୍ଵର । ଏହି ମନ୍ଦିରର ବିଶେଷତ୍ଵ ହେଲା ମନ୍ଦିର ଭିତରେ ସବୁବେଳେ ଥଣ୍ଡା ଅନୁଭୂତ ହୋଇଥାଏ । ଯାହାକି ଭକ୍ତଙ୍କୁ ଚକିତ କରିଥାଏ । ପ୍ରଭୁଙ୍କ ନିକଟରେ ଯିଏ ଯାହା ବି ମାନସିକ କରିଥାଏ ତାହା ନିଶ୍ଚୟ ପୂରଣ ହୋଇଥାଏ ବୋଲି ଭକ୍ତମାନେ କହିଥାନ୍ତି । ତା ସହ ଏଠାରେ ଆୟୋଜିତ ମହାଶିବରାତ୍ରି ମେଳା ଦେଖିବାକୁ ମଧ୍ୟ ଲୋକଙ୍କ ସୁଅ ଛୁଟିଥାଏ । ସୋମବାର ଦିନ ଏହାର ପୂର୍ଣ୍ଣାହୁତି ପଡ଼ିଛି । ଅପେକ୍ଷା ଆସନ୍ତା ବର୍ଷକୁ ।

Leave A Reply

Your email address will not be published.