ଗାନ୍ଧୀ ମଇଦାନରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଓ ବନ୍ଧୁ ମିଳନ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଳକ ଅନ୍ତର୍ଗତ ଖରିଦପିପଳ ପଞ୍ଚାୟତସ୍ଥ ଦହମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଶୀତଳା ମାତା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆନୁକୂଲ୍ୟରେ ଦିବାରାତ୍ର ଟୁର୍ଣ୍ଣାମେଣ୍ଟ ଓ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟକୁ ବରିଷ୍ଠ ସମାଜସେବୀ ମୂରଲୀ ମୋହନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ଖରିଦପିପଳ ସେବା ସମବାୟ ସମିତିର ପ୍ରାକ୍ତନ ସଭାପତି ଆଶୁତୋଷ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଚାମ୍ପିଆନ ଟ୍ରଫି ଓ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଆ ଭାଷା ଓ ସଂସ୍କୃତି ସୁରକ୍ଷା ପରିଷଦର ସମ୍ପାଦକ ତଥା ଆଇନଜୀବୀ ରାଜକିଶୋର ଜେନା ଯୋଗ ଦେବାସହ ମୁଖ୍ୟ ବକ୍ତା ଭାବେ ସୁ-ସାହିତ୍ୟିକ କବି ଦେବବ୍ରତ ଦେ, ସମ୍ମାନିତ ଅତିଥି ଭାବେ ଖରିଦପିପଳ ପଞ୍ଚାୟତର ସରପଞ୍ଚ ଦିବ୍ୟେନ୍ଦୁ ବିକାଶ ପାତ୍ର, ବିଜୁ ଜନତା ଦଳର ପଞ୍ଚାୟତ ସଭାପତି କେଶବ ଚନ୍ଦ୍ର ପାଳ, ସ୍ଥାନୀୟ ସେବା ସମବାୟ ସମିତିର ସମ୍ପାଦକ ଅନନ୍ତ କୁମାର ସାମଲ, ସମାଜସେବୀ ବିଜୟ କୁମାର ସିଂ ପ୍ରମୁଖ ଯୋଗଦେଇଥିଲେ । ଏଥିରେ ଜିଲ୍ଲାର ଆଠଟି ଅଗ୍ରଣୀ ଟିମ୍ ଅଂଶଗ୍ରହଣ କରିଥିବା ବେଳେ ଜୟ ଜଗନ୍ନାଥ ଟିମ୍ ସୂର୍ୟ୍ୟାପୁର ଚାମ୍ପିଆନ ହୋଇଥିଲେ । ଖେଳ ପରିଚାଳକ ଭାବେ ରାମଚନ୍ଦ୍ର ପାତ୍ର ଓ ଅମୂଲ୍ୟ କୁମାର ପାଳ ଓ ସ୍କୋରର୍ ଭାବେ ଅକ୍ଷୟ କୁମାର ପାଳ ଦାୟିତ୍ୱ ତୁଲାଇବା ସହ ରାଜୀବ କୁମାର ପାଳ ଧାରା ବିବରଣୀ ପ୍ରଦାନ କରିଥିଲେ । ଉକ୍ତ କାର୍ୟ୍ୟକ୍ରମକୁ ମୁଖ୍ୟ ଉଦ୍ୟକ୍ତା ଭାବେ ବସନ୍ତ କୁମାର ଦାସ, ଦେବବ୍ରତ ମହାନ୍ତି, ଶମ୍ଭୁନାଥ ରଣା, ସପନ ମାଝୀ, ସୁଶୀଲ ପାଳ, ରତନ ଦାସ, ଭକ୍ତବନ୍ଧୁ ପାଳ, ନିଗମ ମହାନ୍ତି ପ୍ରମୁଖ ଯୁବବନ୍ଧୁ ମାନେ ପରିଚାଳନା କରିଥିଲେ । ଅନେକ ଦର୍ଶକ ବିଳମ୍ବିତ ରାତି ପର୍ୟ୍ୟନ୍ତ ଖେଳକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.