- କୃତୀ ଛାତ୍ରଛାତ୍ରୀ ଓ ଲୋକଙ୍କୁ ଉତ୍ତମ ସେବା ପ୍ରଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ
ବାରିପଦା, (ଦେବସ୍ମିତ ଚୌଧୁରୀ) : ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ବିଭିନ୍ନ ସଚେତନ ଧର୍ମୀ କାର୍ଯ୍ୟକ୍ରମ ଜରିଆରେ ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ, ଅନୁଷ୍ଠାନ ଓ ଛାତ୍ରଛାତ୍ରୀଙ୍କୁ ସାମିଲ କରି ଲୋକମାନଙ୍କୁ ବିଶେଷ କରି ଗାଡି ଚାଳନା କରିବା ସମୟରେ ଟ୍ରାଫିକ ନିୟମ ମାନିବା ସହିତ ସତର୍କତା ମୂଳକ ପଦକ୍ଷେପ ନେବା ସମ୍ବନ୍ଧରେ ସଚେତନ କରାଯାଇଥିଲା । ଏହି ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ହେମକାନ୍ତ ସଏ ତଥା ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପଲ୍ଲୀ ଏବଂ ବାରିପଦା ଆଞ୍ଚଳିକ ପରିବହନ ଅଧିକାରୀ ବିଶ୍ୱରାଜ ବେହେରା ଯୋଗ ଦେଇଥିଲେ ଏବଂ ସଡ଼କ ସୁରକ୍ଷା କମିଟିର ଅନ୍ୟାନ୍ୟ ସଦସ୍ୟ, ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଗାଡି ଚାଳନା ସମୟରେ ଟ୍ରାଫିକ ନିୟମକୁ ସତର୍କତା ଭାବେ ପାଳନ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେବା ସହ ଏହାର ଉପଯୁକ୍ତ ଅନୁପାଳନ ପାଇଁ ପ୍ରବର୍ତ୍ତନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହାପରେ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଅନୁଷ୍ଠିତ ହୋଇଥିବା ପେଣ୍ଟିଙ୍ଗ ଓ ସ୍ଲୋଗାନ ପ୍ରତିଯୋଗିତାର ୧୨ ଜଣ କୃତି ଛାତ୍ରଛାତ୍ରୀ ଓ ୩ ଜଣ କୃତି ସାଧାରଣ ବ୍ୟକ୍ତି ବିଶେଷଙ୍କୁ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ପରିବହନ ଅଧିକାରୀ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ସ୍ୱତଃ ପ୍ରବୃତ୍ତ ଭାବେ ଉପସ୍ଥିତ ବୁଦ୍ଧି ବଳରେ ଘଡିସନ୍ଧି ମୁହୂର୍ତ୍ତରେ ସାହାଯ୍ୟ କରିବା ସହ ହସ୍ପିଟାଲରେ ପହଞ୍ଚାଇ ଅମୂଲ୍ୟ ଜୀବନ ବଞ୍ଚାଇ ପାରିଥିବା ୧୮ ଜଣ ଜୀବନ ରକ୍ଷାକାରୀ ବ୍ୟକ୍ତି ବିଶେଷଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ମାନପତ୍ର ଓ ପ୍ରତ୍ସାହନ ସ୍ୱରୂପ ପ୍ରତ୍ୟେକଙ୍କୁ ୨୦୦୦ ଟଙ୍କା ଲେଖାଏଁ ଅର୍ଥ ରାଶି ପୁରସ୍କାର ପ୍ରଦାନ କରିବା ସହ ସେମାନଙ୍କର ଏହି ମହତ ସେବା ପାଇଁ ସାଧୁବାଦ ଜଣାଇବା ସହ ଆଗକୁ ଏହି ମନୋଭାବ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ ।