ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଜୟଦେବ କଳା ବିକାଶ କେନ୍ଦ୍ର, ତାର ୮ମ ବାର୍ଷିକ ଉତ୍ସବକୁ ନିକଟସ୍ଥ ମାଁ ବାଟ ମଙ୍ଗଳା ଶକ୍ତିପୀଠ ପରିସରରେ ଥିବା ଶକ୍ତିଭବନ ଠାରେ ମହାଆଡମ୍ବରରେ ପାଳନ କରି ସାରିଛନ୍ତି । ଏହି କାର୍ଯ୍ୟକ୍ରମରେ ମ୍ୟୁନିସିପାିଲ କଲେଜର ଅଧ୍ୟକ୍ଷ ଡ଼ ସନାତନ ପ୍ରଧାନ ମୁଖ୍ୟଅତିଥି ଭାବରେ ଓ ରାଉରକେଲାର ବିଶିଷ୍ଟ ସମାଜ ସେବୀ ତଥା ଶିଳ୍ପପତି ନିତ୍ୟାନନ୍ଦ ସିଂଘଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନୃତ୍ୟଗୂରୁ ଦୀପିକା ପାତ୍ର ଓ ପି. ସୌଜନ୍ୟାଙ୍କୁ “ଜୟଦେବ ନୃତ୍ୟକଳା ସମ୍ମାନ”, ଚିତ୍ରକଳା ଗୁରୁଶ୍ରୀ ପୂର୍ଣ୍ଣଚନ୍ଦ୍ର ମାହାତୋଙ୍କୁ “ଜୟଦେବ ଚିତ୍ର କଳା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ପଣ୍ଡିତ କାଶୀନାଥ ପଣ୍ଡାଙ୍କୁ “ଜୟଦେବ ସମାଜ କଲ୍ୟାଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ଉପସଭାପତି ନରେନ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ପଣ୍ଡା ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି କହିଲେ ଯେ, ଜଗଦାରେ ରହୁଥିବା ପିଲାମାନଙ୍କ କଳାସଂସ୍କୃତିର ବିକାଶ ପାଇଁ ସଦା ଚେଷ୍ଟିତ । ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ତବଲା ବାଦନ, ମର୍ଦ୍ଦଳ ବାଦନ ପ୍ରତି ରୁଚି ରଖୁଥିବା ଛାତ୍ରଛାତ୍ରୀଙ୍କୁ କିଭଳି ଉନ୍ନତ ତାଲିମ ଦିଆଯିବା ସଂଗେସଂଗେ ଜଗଦା ତଥା ରାଉରକେଲାରେ କିପରି କଳାର ବିକାଶ ହୋଇପାରିବ ଅନୁଷ୍ଠାନର ପ୍ରୟାସ ଜାରି ରହିଛି । ଜାତୀୟ ସ୍ତରୀୟ ଅହୋରାତ୍ର ଶାସ୍ତ୍ରୀୟ ସଙ୍ଗୀତ ସମାରୋହ କାର୍ଯ୍ୟକ୍ରମ, କବିତା ଆପଣଙ୍କର -ସୁର ଓ ସ୍ୱର ମୋର, ବିଦ୍ୟାଳୟ ସ୍ତରୀୟ ଦେଶାତ୍ମକ ବୋଧକ ସଙ୍ଗୀତ ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମ କରିଆସିଛି । ଆମ ଓଡ଼ିଶାର ନିଜସ୍ଵ ପାରମ୍ପାରିକ ସଙ୍ଗୀତ ଓ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଓଡ଼ିଶୀ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କହିଥିଲେ । ଅନୁଷ୍ଠାନର ଚିତ୍ରକଳା ବିଭାଗର ଛାତ୍ରଛାତ୍ରୀମାନେ ଗୁରୁଶ୍ରୀ ରଘୁନାଥ ବାରିକଙ୍କ ତତ୍ତ୍ଵାବଧାନରେ ତାଙ୍କ କୃତିର ଏକ ଆର୍ଟ ଗ୍ୟାଲେରୀ ପ୍ରଦର୍ଶନୀ କରିଥିଲେ । ନୃତ୍ୟଗୁରୁ ଦୀପିକା ପାତ୍ରଙ୍କ ଦ୍ଵାରା ପ୍ରଶିକ୍ଷିତ ଛାତ୍ରୀମାନେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଆଦି ପ୍ରଦର୍ଶନ କରିଥିଲେ ଓ ପି. ସୌଜନ୍ୟାଙ୍କ ଛାତ୍ରୀମାନେ କଥକ ନୃତ୍ୟ ପରବେଷଣ କରିଥିଲେ । ସଙ୍ଗୀତ ବିଭାଗରେ ପ୍ରଦୀପ କୁମାର ପଣ୍ଡାଙ୍କ ଛାତ୍ରଛାତ୍ରୀ ଓଡ଼ିଶୀ ରାଗ, ଛାନ୍ଦ ଓ ଓଡ଼ିଆ ହିନ୍ଦୀ ସମ୍ମିଶ୍ରଣ (ଫ୍ୟୁଜନ୍) ସଙ୍ଗୀତ ପରିବେଷଣ କରିଥିଲେ । ଅନୁଷ୍ଠାନର ଗୁରୁଶ୍ରୀ ପରମେଶ୍ୱର ସାହୁ ଓ ଦୀପକ ନାୟକଙ୍କ ପ୍ରଶିକ୍ଷିତ ଛାତ୍ରଛାତ୍ରୀମାନେ ତବଲା ଓ ମର୍ଦ୍ଦଳ ବାଦନ କରି ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ତରଫରୁ ଡ଼ ସମର ମୁଦାଲି, କବି ରାଜୀବ ପାଣି, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ବ୍ରଜେନ୍ଦ୍ର ଦାଶ, ନିରୁପମା ପତିଙ୍କୁ ଅତିଥି ଭାବେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର କର୍ମକର୍ତ୍ତା ସଞ୍ଜୀବ ମହାନ୍ତି, ପ୍ରଭାତ ମହାନ୍ତି, ହୃଷୀକେଶ ନାୟକ, ପ୍ରଦୀପ ପତି, ରମେଶ ଚନ୍ଦ୍ର ଦାସ, କ୍ରିଷ୍ଣା ସିଂହ, ହେମନ୍ତ ପତି, ଆର୍ତ୍ତତ୍ରାଣ ବେହୁରା, ହରିହର ପଣ୍ଡା, ଭୋଳନଥ ମଝି, ହିରେନ ମୁଖାର୍ଜୀ, ରୁକ୍ମନ ବେହେରା ପ୍ରମୁଖ ସହ ଅଭିଭାବକ ଓ ଅନେକ ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ ଓ ସହଯୋଗ କରିଥିଲେ । ଝିଲିମା ମହାନ୍ତି ଓ ନରେନ୍ ଦାସ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଡ଼ ସୁଶାନ୍ତ ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।