ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ର ହେଲୋ କିଡ୍ସ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ତଥା ଗ୍ରାଜୁଏସନ ସେରିମନି ସ୍କୁଲ ପରିଚାଳକ ଫେଜ ମହମ୍ମଦ ଖାଁଙ୍କ ଅଧ୍ୟକ୍ଷତାରେ ରବିବାର ସଂଧ୍ୟାରେ ସ୍ଥାନୀୟ ପୌରପରିଷଦ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଟିଟିଲାଗଡ଼ ମାତୃ ଶିଶୁ ହସ୍ପିଟାଲର ଡାକ୍ତର ଓଁକାର ହୋତା, ସମ୍ମାନିତ ଅତିଥିଭାବେ ଓମ୍ ଭ୍ୟାଲି ସ୍କୁଲର ମୁଖ୍ୟ ପରିଚାଳକ ରୋବୀନ ଚନ୍ଦ୍ର ପାରିମାଣିକ ଯୋଗଦେଇଥିଲେ । ଅନ୍ୟତମ ଅତିଥିଭାବେ ମାରୱାଡ଼ି ମହିଳା ମଣ୍ଡଳ ସେଣ୍ଟ୍ରାଲ ଶାଖାର ଖୁସବୁ ଜୈନ, କବିୟତ୍ରି ବବି ଜୈନ ମଧ୍ୟ ଉପସ୍ଥିତ ଥିଲେ । ପ୍ରଥମେ ହେଲୋ କିଡସ ହେଲୋ କିଡସ ଗୀତରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରାରମ୍ଭିକ ଓଡ଼ିଶୀ ନୃତ୍ୟ ଶ୍ରୀମତୀ ସାହୁଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା । ଅତିଥିଙ୍କୁ ଫୁଲତୋଡ଼ା ଓ ଉପଢ଼ୌକନ ଦେଇ ମଞ୍ଚକୁ ନିମନ୍ତ୍ରଣ କରାଯାଇଥିଲା । ଏହାପରେ ସ୍କୁଲ ଟ୍ରଷ୍ଟି ସଙ୍ଗୀତା ଅଗ୍ରୱାଲ ପରିଚାଳକ ଶ୍ରୀ ଫେଜ ଖାଁ ଏବଂ ତାଙ୍କ ସ୍ତ୍ରୀ ସମିନା ଖାଁଙ୍କୁ ସମ୍ମାନିତ କରିଥିଲେ । ଏହାପରେ ଉଭୟ ଅତିଥି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଅତି ସୁନ୍ଦର ନୃତ୍ୟ ପରିବେଷଣ କରାଯାଇଥିଲା । ସବୁଠାରୁ ବିଶେଷ ଆକର୍ଷଣ ଥିଲା ଯେ ଚଳିତ ବର୍ଷ ବିଦ୍ୟାର୍ଥୀଙ୍କ ଅଭିଭାବକମାନେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ମା ଓ ବାପାମାନଙ୍କୁ ନେଇ ଅଲଗା ଅଲଗା ଦୁଇଟି ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ୟୁକେଜି ପଢ଼ି ସାରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଗ୍ରାଜୁଏସନ ଡେ ସମ୍ପନ୍ନ କରିଥିବାରୁ ଅତିଥିଙ୍କ ଦ୍ଵାରା ମାନପତ୍ର ପ୍ରଦାନ କରାଯାଇଥିଲା । ଟ୍ରଷ୍ଟି ମହମ୍ମଦ ତୋଷିଫ, ଆନନ୍ଦ ଜୈନ, ଆଶିଷ ଅଗ୍ରୱାଲ, ସଞ୍ଜୟ କୁମାର ନାୟକ, ତାପସ ଚୌଧୁରୀ, ସୁବିର ଚାଟାର୍ଜୀ, ରଫିକ ଉଲ୍ଲା ଖାଁ, ମହେଶ ଅଗ୍ରୱାଲ, ଏଡଭାଇଜର ଆଶିଷ କୁମାର ସୁନା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।