ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ଓ ସାମୂହିକ ଖଡ଼ିଛୁଆଁ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ମାଘମାସ ଶୁକ୍ଳ ପଞ୍ଚମୀ ତିଥିରେ ସରସ୍ଵତୀ ପୂଜା ଓ ଶିଶୁ ବୋଧ ଶ୍ରେଣୀର ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ସହିତ ସାମୂହିକ ଖଡ଼ିଛୁଆଁ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ଭାଇଭଉଣୀ ମାନେ ମୁଣ୍ଡରେ ମାଟି ସିଲଟ, ଗୀତା ବହି ପାଲିଙ୍କି ଧରି ଓ ମାଆ ମାନେ କଳସ ଶୋଭାଯାତ୍ରାରେ ଜଗନ୍ନାଥ ମନ୍ଦିରକୁ ଯାଇଥିଲେ । ସେଠାରେ ପୂଜାର୍ଚ୍ଚନା ସାରି ଶିଶୁ ମନ୍ଦିରକୁ ଫେରି ଆସିଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରିଥିବା ସମସ୍ତ ଶିଶୁ ମାନଙ୍କୁ ହଳଦୀ ପାଣିରେ ଗୋଡ଼ ଧୋଇ ସ୍ୱାଗତ କରି ବିଦ୍ୟାରମ୍ଭ ସଂସ୍କାର ଉପରେ ମାର୍ଗ ଦର୍ଶନ କରିଥିଲେ । ପରେ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ନବ ପ୍ରଭାତ ଗୁରୁକୂଳ ଆଶ୍ରମର ବ୍ରହ୍ମଚାରୀ ସମ୍ବିତ ଓ କ୍ଷିତିଶ ଆର୍ଯ୍ୟଙ୍କ ପୁରୋହିତରେ ମନ୍ତ୍ରପାଠ ଓ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ଶିବ ପ୍ରସାଦ ସାହୁ, ସୋହନ ଲାଲ ସାହୁ, ରୋହିତ ସାହୁ, ତେଜରାଜ ପଟେଲ, ପୃଥିରାଜ ଖର୍ସେଲ, ରୂପଧର ପଟେଲ, ରଂଜନ କୁମାର ହୋତା ପ୍ରମୁଖ ସପତ୍ନିକଙ୍କ ସହିତ ଯଜ୍ଞ କର୍ତ୍ତା ଦାୟିତ୍ଵ ତୁଳାଇଥିଲେ । ସଂପାଦକ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଉପ ସଭାପତି ଗୋପାଳ କୃଷ୍ଣ ମିଶ୍ର ମଞ୍ଚାସୀନ ହୋଇ କୁନିକୁନି ମୁନରେ କବିତା ଓ ଚିତ୍ର ଅରୁଣର ସରସ୍ୱତୀ ବିଶେଷାଙ୍କକୁ ଉନ୍ମୋଚନ କରିଥିଲେ । ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ଶ୍ରୀମତୀ ସୁଜାତା ତ୍ରିପାଠୀଙ୍କ ସୁଚନା କ୍ରମେ ଅଭିଭାବକ ମାନେ ଶିଶୁ ମାନଙ୍କୁ ନିଜାମ ପଟେ ବସାଇ ଓମ୍, ସରସ୍ଵତୀଙ୍କ ବୀଜମନ୍ତ୍ରରେ ଶିଶୁଙ୍କ ଆଙ୍ଗୁଠି ବୁଲାଇ ବିଦ୍ୟାରମ୍ଭ ସଂସ୍କାର କରିଥିଲେ । ପରେ ପରେ ପୂଜକ ମୁଦିରଥ ପଣ୍ଡାଙ୍କ ପୌରୋହିତ୍ୟରେ ସରସ୍ଵତୀ ପୂଜା ଓ ସାମୂହିକ ଖଡ଼ିଛୁଆଁ ଉତ୍ସବ ହୋଇଥିଲା । ଏଥିରେ ଆଖପାଖ ଅଞ୍ଚଳରୁ ଶତାଧିକ ଅଭିଭାବକ ଯୋଗଦେଇ ନିଜ ନିଜ ଶିଶୁ ମାନଙ୍କ ଖଡ଼ିଛୁଆଁ କରାଇଥିଲେ । ଠିକ୍ ସେହିପରି ବିଦ୍ୟାମନ୍ଦିର ବିଭାଗରେ ପୂଜକ ଯଦୁମଣି ଦାସଙ୍କ ପୁରୋହିତରେ ପୂଜାକାର୍ଯ୍ୟ ସମାପନ ହୋଇଥିଲା । ମାତୃଭାରତୀ ସଭ୍ୟା, ପୂର୍ବ ଛାତ୍ର ପରିଷଦ ଓ ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.