ରାଉରକେଲା, (ସସ୍ମିତା ପ୍ରଧାନ) : ସହକାରୀ ନିର୍ଦ୍ଦେଶକ ହସ୍ତଶିଳ୍ପ, ଓରମାସ, ରାଉରକେଲା ମହାନଗର ନିଗମ ଏବଂ ଜିଲ୍ଲା ପ୍ରଶାସନ ସୁନ୍ଦରଗଡର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ, ପଲ୍ଲୀଶ୍ରୀ ଓ ଖାଦ୍ୟମେଳା ଆସନ୍ତା ୧ରୁ ୭ ଫେବୃଆରୀ ପର୍ଯ୍ୟନ୍ତ ଭଞ୍ଜଭବନ ନିକଟସ୍ଥ ପ୍ରଦର୍ଶନୀ ପଡିଆ, ସେକ୍ଟର ୫ରେ ଅନୁଷ୍ଠିତ ହେବ । ଏହି ମେଳାରେ ହସ୍ତଶିଳ୍ପ ପ୍ରଦର୍ଶନୀ, ପଲ୍ଲୀଶ୍ରୀ ମେଳା ଓ ଖାଦ୍ୟମେଳା ପାଇଁ ୨୦୦ ଷ୍ଟଲ ଲାଗିବ । ଏଥିରେ ରାଜ୍ୟସ୍ତରୀୟ ହସ୍ତଶିଳ୍ପ କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ଥାନୀୟ କରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନ ତଥା ବିକ୍ରୟ ହେବ । ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବ । ହସ୍ତଶିଳ୍ପ ପ୍ରଦର୍ଶନୀ ଓ ପଲ୍ଲୀଶ୍ରୀ ମେଳା ପ୍ରତ୍ୟେକ ଦିନ ସକାଳ ୧୦ ଘଟିକାରୁ ରାତ୍ରି ୧୦ ଘଟିକା ଯାଏଁ ଚାଲିବ । ଖାଦ୍ୟମେଳା ସଂଧ୍ୟା ୫ ଘଟିକାରୁ ରାତି ୧୦ ଘଟିକା ପର୍ଯ୍ୟନ୍ତ ଚାଲିବ । ଏହି ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ପଲ୍ଲୀଶ୍ରୀ ଓ ଖାଦ୍ୟମେଳାରେ ବହୁ ସଂଖ୍ୟାରେ ଯୋଗଦାନ କରି ସାଫଲ୍ୟମଣ୍ଡିତ କରିବାକୁ ଜିଲ୍ଳାପାଳ ଅନୁରୋଧ କରିଛନ୍ତି ।