ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜର ନୂତନ ଛାତ୍ର ସଂଘ ଶପଥ ନେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ୨୦୨୫ ଛାତ୍ର ସଂଘର ଶପଥ ଗ୍ରହଣ ସମାରୋହ ‘ପ୍ରତିଜ୍ଞା’ ଶୁକ୍ରବାରର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସ୍ୱୟଂପ୍ରଭା ପ୍ରଧାନ, ଅଧିକ୍ଷିକା ଡଃ. ମାନସୀ ପଣ୍ଡା, ଉପାଧ୍ୟକ୍ଷ ଡଃ. ରମେଶ ଚନ୍ଦ୍ର ମହାରାଜ ଓ ଛାତ୍ରସଂଘର ପରାମର୍ଶଦାତା ଡଃ. ଦିବ୍ୟ ପ୍ରସନ୍ନ ମହାନ୍ତି ମଞ୍ଚାସୀନ ଥିଲେ । ସମ୍ମାନିତ ଅତିଥି ରୂପେ ପଦ୍ମଶ୍ରୀ କୈଳାଶ ଚନ୍ଦ୍ର ମେହେର ସମାରୋହରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସନ୍ଥକବି ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ ପୂଜାସୃଦ ଅତିଥିଗଣଙ୍କ ଦ୍ୱାରା ସମାକୃତ ହୋଇଥିଲା । ତତ୍ ପରେ ଅତିଥିଗଣ ମହାବିଦ୍ୟାଳୟର ବିକାଶରେ ଛାତ୍ରସଂଘର ଭୂମିକା ଓ କାର୍ଯ୍ୟ ସମ୍ବନ୍ଧେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ସ୍ୱୟଂପ୍ରଭା ପ୍ରଧାନଙ୍କ ଦ୍ୱାରା ଛାତ୍ରସଂଘର ବିଭିନ୍ନ ପଦବୀ ପ୍ରାପ୍ତ ୩୨ ଜଣଙ୍କ ଶପଥ ପାଠ ସମ୍ପାଦିତ ହୋଇଥିଲା । ଛାତ୍ରସଂଘର ସଭାପତି ରୂପେ ଶୁଭଦତ୍ତ ଦାସ ଓ ମହାସଚିବ ରୂପେ ଦେବାଶିଷ ପୂଜାରୀ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଭୀମ ଭୋଇ ମେଡିକାଲ କଲେଜ୍ ହସ୍ପିଟାଲ ଖୋଲିବାର ୬ ବର୍ଷ ପୁରିଗଲାଣି । ଇତି ମଧ୍ୟରେ ନୂଆ ଟିଚିଂ ହସ୍ପିଟାଲ ମଧ୍ୟ ତିଆରି ହୋଇଛି । କିନ୍ତୁ ଏବେ ସୁଦ୍ଧା ଅନେକ ଭିତ୍ତିଭୂମି ପୁରା ହେବା ବାକି ରହିଛି । ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଏବେ ବି ଚିକିତ୍ସା ସେବା ସମ୍ପୂର୍ଣ୍ଣ ଭାବରେ ଦିଆଯାଇ ପାରୁନାହିଁ । ଆଗାମୀ ଦିନରେ ମେଡିକାଲ ଛାତ୍ରଛାତ୍ରୀଙ୍କ ସମସ୍ତ ସମସ୍ୟାର ସମାଧାନ କରିବା ସହିତ ଏ ସମସ୍ତ ବ୍ୟବସ୍ଥା ପାଇଁ ଦାବି କରାଯିବ ବୋଲି ନିର୍ବାଚିତ ହୋଇଥିବା ଛାତ୍ରସଂଘର ସଭାପତି ଶୁଭଦତ୍ତ ଦାସ କହିଥିଲେ । ମେଡିକାଲ କଲେଜ କର୍ତ୍ତୃପକ୍ଷ ନିର୍ବାଚିତ ହୋଇଥିବା ଛାତ୍ରନେତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆଗାମୀ ଦିନରେ କଲେଜର ଉତ୍ତରୋତ୍ତର ଉନ୍ନତି ଦିଗରେ କାମ କରିବାକୁ ଆହ୍ୱାନ କରିଥିଲେ । ପରିଶେଷରେ ଉପ ସଭାପତି ସତ୍ୟ ସୁନ୍ଦର ସାହୁ ସମାରୋହରେ ଉପସ୍ଥିତ ସମସ୍ତ ଅତିଥି, ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.