ଭାବବିହ୍ଵଳ ପରିବେଶରେ ଲରିଆବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବସନ୍ତକୁମାର ବିଶିଙ୍କ ଅବସରକାଳୀନ ସମ୍ବର୍ଦ୍ଧନା
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଲରିଆବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବସନ୍ତ କୁମାର ବିଶିଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ପ୍ରଧାନଶିକ୍ଷକ ଜୀବର୍ଧନ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠିତ ସଭାରେ ବ୍ଲକ ସହଶିକ୍ଷା ଅଧିକାରୀ ଜଗତ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଦାୟୀ ଶିକ୍ଷକ ବସନ୍ତକୁମାର ବିଶିଙ୍କୁ ପେନସନ କାଗଜ ପତ୍ର, ଉପଢୌକନ, ମାନପତ୍ର ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପଢୌକନ, ବିଭିନ୍ନ ଉପହାର ଦେଇ ଆଶୀର୍ବାଦ ଗ୍ରହଣ କରିଥିଲେ । ସ୍ଥାନୀୟ ସିଆରସିସି ନୀଳକଣ୍ଠ ନାଏକ ମୁଖ୍ୟବକ୍ତା, ସମାଜସେବୀ ବଦ୍ରିନାରାୟଣ ପାଣ୍ଡିଆ, ସାମ୍ବାଦିକ ବନମାଳୀ ପୋଢ଼ ସମ୍ମାନିତ ଅତିଥିଭାବେ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବାକୁ ପ୍ରେରଣା ଦେଇଥିଲେ । ବିଦାୟୀ ଶିକ୍ଷକ ବସନ୍ତ କୁମାର ବିଶି ନିଜ ବକ୍ତବ୍ୟରେ ନିଜ ୧୬ ବର୍ଷ ଶିକ୍ଷକତା ଜୀବନର ବିଗତ ଦିନର କଥା ଓ ଛାତ୍ରଛାତ୍ରୀଙ୍କ ସ୍ନେହ ଶ୍ରଦ୍ଧା ବିଷୟରେ ସ୍ମୃତି ଚାରଣ କରି ଛାତ୍ରଛାତ୍ରୀଙ୍କ ସେବାରେ ନିଜକୁ ସମର୍ପଣ କରିବା ଏକ ଆଦର୍ଶ ଶିକ୍ଷକର ଗୁଣ ବୋଲି କହିଥିଲେ । ଅନ୍ଧାରିବାଞ୍ଜି ସି.ଆର.ସି.ସି ଚିତ୍ତରଞ୍ଜନ ଠାକୁର, ଡୁଙ୍ଗୁରିପାଲି ସି.ଆର.ସି.ସି ପ୍ରବୀର ଭୋଇ, ପ୍ରଧାନଶିକ୍ଷକ ଦୟାନିଧି ବୁଡ଼େକ, ସୁଶୀଲ କୁମାର ସେଠ, ସୁଦାମା ଦାରିଦ୍ର୍ୟଭଂଜନ ଦାଶ, ପହିଲ ବୁଡ଼େକ, ବାଳକିଶୋର ମେହେର, ପୂର୍ଣଚନ୍ଦ୍ର କୁମ୍ଭାର, ନୀଳକଣ୍ଠ ନାୟକ, ପ୍ରବୀରକୁମାର ଭୋଇ, ଶିକ୍ଷକ କିଶୋରକୁମାର ବାଗ, ଶିକ୍ଷୟିତ୍ରୀ ଆରତୀ ଖମାରୀ, ଉର୍କୁଲି ଭୁଏ, ସନ୍ତୋଷୀ ବିଶି, ଗ୍ରାମର ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ । ସହକାରୀ ଶିକ୍ଷକ ପ୍ରବୀଣ ବିଶି ସଂଯୋଜନା କରିଥିବା ବେଳେ ନୀଳିମା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗ୍ରାମବାସୀଙ୍କ ଘର ଦୁଆର ଆଗରେ ଝୋଟି ସହ ପୂର୍ଣ୍ଣ କୁମ୍ଭ ସ୍ଥାପନ କରାଯାଇଥିଲା । ସଭା ପରେ ବିରାଟ ପଟୁଆର ଦ୍ୱାରା ମା ଭଉଣୀଙ୍କ ହୁଳହୁଳି ସହ ଜନସାଧାରଣଙ୍କ ହରିବୋଲ ଧ୍ୱନୀରେ ପ୍ରକମ୍ପିତ ଗ୍ରାମ୍ୟ ଶୋଭାଯାତ୍ରାରେ ଯାଇ ବିଦାୟୀ ଶିକ୍ଷକଙ୍କୁ ଘରେ ଛାଡି ଆସିଥିଲେ । ଛାତ୍ରଛାତ୍ରୀ ଓ ଆବାଳବୃଦ୍ଧ ବନିତାଙ୍କ ଆଖିରେ ଅଶ୍ରୁ ଆସିଯାଇଥିଲା । ବିଦାୟୀ ଶିକ୍ଷକଙ୍କ ସ୍ନେହ ଶ୍ରଦ୍ଧା ଓ ଶିକ୍ଷକତାକୁ ମନେପକାଇ ଲରିଆବାହାଲ ଗ୍ରାମବାସୀ ବାହୁନି ବାହୁନି କାନ୍ଦିଥିଲେ ।