ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରବିବାର ପୂର୍ବାହ୍ନ ୧୦.୩୦ଟା ସମୟରେ ଗୁରୁତୀର୍ଥ ଗୁଡିଆବନ୍ଧ ଠାରେ କମ୍ଵଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିବ୍ୟଦର୍ଶନ ସଂଘର ପ୍ରତିଷ୍ଠାତା ପୂଜ୍ୟ ସଦ୍ଗୁରୁ ଶ୍ରୀ ଅର୍ଜୁନଙ୍କ ଜନ୍ମସ୍ଥାନରେ ଏକ ଭବ୍ୟ ଗୁରୁ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ କେନ୍ଦ୍ରୀୟ କମିଟିଙ୍କ ପରାମର୍ଶ ପ୍ରକାରେ “ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନ ଦିବ୍ୟପ୍ରକାଶ ଚାରିଟେବୁଲ ସୋସାଇଟି” ଗଠନ କରାଯାଇ ସରକାରୀ ସ୍ୱୀକୃତି ଲାଭ କରିଛି । ପୂଜ୍ୟ ଗୁରୁଦେବଙ୍କ ଜଗତ କଲ୍ୟାଣ ଇଚ୍ଛାକୁ ପୂରଣ ନିମନ୍ତେ ସତସଙ୍ଗ ଜରିଆରେ ସତ୍ୟଜ୍ଞାନ ଆତ୍ମଜ୍ଞାନ ଶିକ୍ଷା ଦାନର ବ୍ୟବସ୍ଥା ଜାରି ରହିଛି । ତତ୍ ସହିତ ସମାଜ କଲ୍ୟାଣ ମୂଳକ” ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ଗ୍ରାମ ସଫେଇ, ନିଶା ନିବାରଣ ସଚେତନତା ଇତ୍ୟାଦି କାର୍ଯ୍ୟକ୍ରମ ସହ ଗରିବ ଅସହାୟ ମାନଙ୍କୁ ବସ୍ତ୍ରଦାନ, କମ୍ଵଳ ବଣ୍ଟନ କାର୍ଯ୍ୟକ୍ରମ ସଂଘ ଦ୍ୱାରା ହୋଇ ଆସୁଛି । ଗୁଡିଆବନ୍ଧ ଶାଖାରେ ଗଠିତ ଚାରିଟେବୁଲ ସୋସାଇଟି ଦ୍ୱାରା କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ସଂଘର କେନ୍ଦ୍ରୀୟ କମିଟି ସଦସ୍ୟ ତଥା ଅନ୍ତରଝୋଲି ଦିବ୍ୟଦର୍ଶନ ଆଶ୍ରମ ପରିଚାଳକ ପୂଜ୍ୟ ବାସିନୀ ଭୂଜଙ୍ଗ ଏବଂ ସ୍ଥାନୀୟ ଗୁରୁତୀର୍ଥ ଗୁଡିଆବନ୍ଧ ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଭଦ୍ରା ଶବର, ଦିବ୍ୟ ପ୍ରକାଶ ଚାରିଟେବୁଲ ସୋସାଇଟିକୁ ସମସ୍ତ ସଦସ୍ୟ ମାନଙ୍କ ମଧ୍ୟରେ ସଭାପତି ଲାଡି. ଉଦୟ ଶଙ୍କର, ଉପସଭାପତି ଉଦୟ ଶବର, ସଂପାଦକ ଚନ୍ଦ୍ରଶେଖର ସାଉଁଟିଆ, କୋଷାଧ୍ୟକ୍ଷ ଜନାର୍ଦ୍ଦନ ସେନାପତି ଓ ଅନ୍ୟାନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଆଞ୍ଚଳିକ ପ୍ରତିନିଧି ଲାଡି. ନାଗେଶ୍ୱର ରାଓ, ଅନ୍ତରଝୋଲି ଆଶ୍ରମ ପରିଚାଳନା କମିଟି ସଂପାଦକ ଜଗନ୍ନାଥ ଦାଶ, ଗୁଡ଼ାରୀ ଶାଖାରୁ କେଶବ ଶବର ଓ ପଦ୍ମନାଭ ଶବର ତଥା ଅଞ୍ଚଳର ବିଭିନ୍ନ ସ୍ଥାନରୁ ବହୁ ସକ୍ରିୟ ଭାଇଭଉଣୀ ମାନେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ଓଁକାର ଧ୍ୱନି ଓ ଗୁରୁବନ୍ଦନା କରି ଆରମ୍ଭ କରାଯାଇଥିଲା । କମ୍ଵଳ ବଣ୍ଟନ କାର୍ଯ୍ୟକ୍ରମ ପରେ ଶାନ୍ତିପାଠ କରି କାର୍ଯ୍ୟକ୍ରମ ସମାପନ କରାଗଲା ।